ଭାରତୀୟ ହିନ୍ଦୁଙ୍କୁ ଟାର୍ଗେଟ, ବଡ଼ ଧରଣର ଗଣଗୁଳିକାଣ୍ଡ ଯୋଜନା ପଣ୍ଡ

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ନୂଆଦିଲ୍ଲୀ, ୧୫/୧୦: ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ନିକଟବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ଗୁଳିକାଣ୍ଡ ଘଟଣାକୁ ପଣ୍ଡ କରିଦିଆଯାଇଛି। ଜଣେ ୧୯ ବର୍ଷୀୟ ଯୁବକ ଆମେରିକାର ଇଲିନୋଇସ୍‌ ରାଜ୍ୟର ଅରୋରା ସହରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଏହି ଆକ୍ରମଣ ଯୋଜନା କରିଥିଲେ। କିନ୍ତୁ ବନ୍ଧୁକରେ ତ୍ରୁଟି ଦେଖାଦେବାରୁ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି।

ଏହି ଘଟଣାରେ ସଂପୃକ୍ତ ୧୯ ବର୍ଷୀୟ ଯୁବକ ଜଣଙ୍କ ହେଲେ ଆଲେକ୍‌ସାଣ୍ଡ୍ରୋସ୍ ପାପୋରାକିସ୍। ସେ ଏକ ସ୍ଥାନୀୟ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲେ। ସେ ଗତ ଦୁଇ ବର୍ଷ ହେବ ଏପରି ଏକ ହିଂସାତ୍ମକ ଆକ୍ରମଣ ପାଇଁ ଯୋଜନା କରୁଥିବା ଏବଂ ଗତ ଦୁଇ ମାସ ହେଲା ଅରୋରାସ୍ଥିତ ହିନ୍ଦୁ ମନ୍ଦିର ଉପରେ ନଜର ରଖିଥିବା ପୁଲିସ ଜାଣିବାକୁ ପାଇଛି।

ଅଭିଯୁକ୍ତ ଜଣକ ଏକ ଟାକ୍ଟିକାଲ୍ ଭେଷ୍ଟ, ଏକ ଏଆର-ଷ୍ଟାଇଲ୍ ରାଇଫଲ୍ ଏବଂ ପ୍ରାୟ ୩୦୦ ରାଉଣ୍ଡ ଗୁଳି ସହିତ ମନ୍ଦିର ନିକଟରେ ପହଞ୍ଚିଥିଲେ। କିନ୍ତୁ, ଯେତେବେଳେ ସେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ବନ୍ଧୁକରେ ବୈଷୟିକ ତ୍ରୁଟି ଯୋଗୁଁ ଗୁଳି ଅଟକି ଯାଇଥିଲା। ବନ୍ଧୁକ କାମ ନକରିବାରୁ ନିରାଶ ହୋଇ ସେ ସେଠାରୁ ଖସି ପଳାଇଥିଲେ ଏବଂ ତା’ପରେ ତାଙ୍କର ଜଣେ ସହକର୍ମୀଙ୍କୁ ଫୋନ୍ କରି ଏହି ବନ୍ଧୁକ ଜାମ୍ ହେବା କଥା କହିବା ସହ “ଏହାକୁ ଠିକ୍ କରି ପୁଣି ଚେଷ୍ଟା କରିବି” ବୋଲି କହିଥିଲେ। ତେବେ ଅଭିଯୁକ୍ତଙ୍କ ଏପରି କଥା ଶୁଣି ସହକର୍ମୀଜଣଙ୍କ ସାଙ୍ଗେ ସାଙ୍ଗେ ପୁଲିସକୁ ଖବର ଦେଇଥିଲେ।

ପାଲାଟାଇନ୍ ପୁଲିସ ଏବଂ ଏଫ୍‌ବିଆଇ ତୁରନ୍ତ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ତାଙ୍କ ଘର ନିକଟରୁ କାବୁ କରି ଗିରଫ କରିଥିଲେ। ତଲାସୀ ସମୟରେ ପୁଲିସ ଅଭିଯୁକ୍ତର ଘରୁ ନାଜୀ ପ୍ରତୀକ ସମ୍ବଳିତ ବିଭିନ୍ନ ସାମଗ୍ରୀ ଏବଂ ଏକ ୮-ପୃଷ୍ଠାର ଡକ୍ୟୁମେଣ୍ଟ ବା ‘ମାନିଫେଷ୍ଟୋ’ ଜବତ କରିଛି। ସେ ଭାରତୀୟ ତଥା ହିନ୍ଦୁ ସମାଜ ବିରୋଧୀ ଚିନ୍ତାଧାରା ଓ ଘୃଣ୍ୟ ଭାଷା ସେଥିରେ ଉଲ୍ଲେଖ କରିଥିଲେ।

ସହକର୍ମୀମାନଙ୍କ କହିବାନୁସାରେ, ସେ ଗତ କିଛି ଦିନ ହେବ ଭାରତୀୟମାନଙ୍କୁ ଟାର୍ଗେଟ କରି ମାରିବାକୁ ଚାହୁଁଥିବା କଥା ବାରମ୍ବାର କହୁଥିଲେ। କିନ୍ତୁ ତାଙ୍କ ସହକର୍ମୀଙ୍କ ସମୟୋଚିତ ପଦକ୍ଷେପ ଏବଂ ବନ୍ଧୁକ ଜାମ୍ ହୋଇଯିବା କାରଣରୁ ଏକ ବଡ଼ଧରଣର କ୍ଷତିକୁ ଏଡ଼ାଯାଇପାରିଛି। ବର୍ତ୍ତମାନ ଅଭିଯୁକ୍ତକୁ ହେପାଜତକୁ ନିଆଯାଇ ଅଧିକ ତଦନ୍ତ ଜାରି ରହିଛି।