ରାଜ୍ୟପାଳ ଭାବେ ଦୁଷ୍ୟନ୍ତ ଗୌତମଙ୍କ ନିଯୁକ୍ତିକୁ ବିରୋଧ

ଇଣ୍ଡିଆ ଗେଟ୍‌ରେ ଧାରଣା ବେଳେ ଉଠାଇନେଲା ପୋଲିସ

ନୂଆଦିଲ୍ଲୀ, ୧୪/୧୦: ଉତ୍ତରାଖଣ୍ଡର ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ନ୍ୟାୟ ଦାବିକୁ ନେଇ ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଚାଲିଥିବା ଧାରଣା ବେଳେ ଅଙ୍କିତାଙ୍କ ବାପା-ମାଆଙ୍କ ସମେତ ଅନେକ କଂଗ୍ରେସ ନେତା ଓ ପ୍ରତିବାଦକାରୀଙ୍କୁ ପୁଲିସ ହେପାଜତକୁ ନେଇଥିଲା। ଗୁରୁବାର ଭୋର ପ୍ରାୟ ୪ଟାରେ ସେମାନଙ୍କୁ ଅଟକ ରଖାଯାଇଥିବା ବେଳେ ସକାଳ ପ୍ରାୟ ୫ଟାରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ନେତାମାନେ ବିରୋଧ କରିବା ସହ ପ୍ରତିବାଦକାରୀଙ୍କୁ ଠେଲାପେଲା କରାଯାଇଥିବା ଅଭିଯୋଗ କରିଛନ୍ତି।

ଅଙ୍କିତା ଭଣ୍ଡାରୀଙ୍କ ପରିବାର ଦୀର୍ଘ ଦିନ ଧରି ନ୍ୟାୟ ଦାବି କରିଆସୁଛନ୍ତି। ନିକଟରେ ବିଜେପି ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ନେଇ ଆପତ୍ତି ଉଠାଇ ପରିବାର ପକ୍ଷରୁ ଏହି ପ୍ରତିବାଦ କରାଯାଉଥିଲା। ମାମଲାରେ ସିବିଆଇ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ପରିବାର ଦାବି କରିଛି।

ବୁଧବାର ଏହି ଧାରଣାସ୍ଥଳକୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପହଞ୍ଚି ଅଙ୍କିତାଙ୍କ ପରିବାରକୁ ଭେଟିଥିଲେ। ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମ ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତି ଉପରେ ପରିବାର ପ୍ରଶ୍ନ ଉଠାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ସ୍ଥଗିତ ରଖିବାକୁ ଅଙ୍କିତାଙ୍କ ବାପା ଦାବି କରିଛନ୍ତି।

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ, ପବନ ଖେଡ଼ା ଓ କାଜି ନିଜାମୁଦ୍ଦିନ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛନ୍ତି। ନ୍ୟାୟ ଦାବି କରୁଥିବା ପରିବାର ଓ ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ, ନ୍ୟାୟ ପାଇଁ ଲଢ଼ୁଥିବା ଲୋକଙ୍କୁ ହେପାଜତକୁ ନିଆଯାଉଛି। ଅନ୍ୟପଟେ, ଯାହାଙ୍କ ନିଯୁକ୍ତିକୁ ନେଇ ପ୍ରତିବାଦ ହେଉଛି, ତାଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଉଥିବା ସେ ପ୍ରଶ୍ନ କରିଛନ୍ତି।

ସେହିପରି ସୁପ୍ରିୟା ଶ୍ରୀନେତ ଅଙ୍କିତାଙ୍କ ପରିବାର ପ୍ରାୟ ଚାରି ବର୍ଷ ଧରି ନ୍ୟାୟ ଦାବି କରୁଥିବା ବେଳେ ସେମାନଙ୍କ ସହ ଏପରି ବ୍ୟବହାର କାହିଁକି କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ମହିଳା ପ୍ରତିବାଦକାରୀଙ୍କୁ ଭୋର ସମୟରେ ହେପାଜତକୁ ନିଆଯାଇଥିବା ନେଇ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି।

କଂଗ୍ରେସର ଦିଲ୍ଲୀ ପ୍ରଭାରୀ ତଥା ବିଧାୟକ କାଜି ନିଜାମୁଦ୍ଦିନ ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଙ୍କିତାଙ୍କ ପରିବାର ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ ପୁଲିସ ସେମାନଙ୍କୁ ହେପାଜତକୁ ନେଇଥିବା ସେ ଅଭିଯୋଗ କରିଛନ୍ତି। ଅଙ୍କିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

କ’ଣ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା?

ଅଙ୍କିତା ଭଣ୍ଡାରୀ ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାର ଏକ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ୧୯ ବର୍ଷୀୟ ଅଙ୍କିତାଙ୍କୁ ୨୦୨୨ ସେପ୍ଟେମ୍ବର ୧୮ ତାରିଖରେ ହତ୍ୟା କରାଯାଇଥିଲା। ସେପ୍ଟେମ୍ବର ୨୪ ତାରିଖରେ ଚିଲ୍ଲା କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଏହି ମାମଲାରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ ଏବଂ ତାଙ୍କର ଦୁଇ କର୍ମଚାରୀ ସୌରଭ ଭାସ୍କର ଓ ଅଙ୍କିତ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ପୁଲକିତ ଆର୍ଯ୍ୟ ହେଉଛନ୍ତି ପୂର୍ବତନ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ।

୨୦୨୫ ମେ ୩୦ ତାରିଖରେ ଉତ୍ତରାଖଣ୍ଡର କୋଟଦ୍ୱାର ଅଦାଲତ ଏହି ତିନି ଅଭିଯୁକ୍ତଙ୍କୁ ହତ୍ୟା, ପ୍ରମାଣ ନଷ୍ଟ କରିବା ଓ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ।

କିନ୍ତୁ ଅଙ୍କିତାଙ୍କ ପରିବାର ଏବଂ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ଜଣେ ପ୍ରଭାବଶାଳୀ ‘ଭିଆଇପି’ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ଏବଂ ସେହି ‘ଭିଆଇପି’ ଜଣକ ହେଉଛନ୍ତି ଦୁଷ୍ୟନ୍ତ ଗୌତମ। ତେଣୁ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଦୁଷ୍ୟନ୍ତ କୁମାର ଗୌତମଙ୍କ ରାଜ୍ୟପାଳ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ପରିବାର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି।