ପେଶାୱର, ୧୫/୧୦: ପାକିସ୍ତାନର ପେଶାୱାରରେ ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୮ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି।
ଏହି ଘଟଣା ପେଶାୱରର ଡିର୍ କଲୋନୀ ଅଞ୍ଚଳରେ ଥିବା ଅଲ୍-ଖୈର ଏଜୁକେସନ୍ ସେଣ୍ଟର ନାମକ ଏକ ଘରୋଇ ସ୍କୁଲରେ ଘଟିଛି। ଗୁରୁବାର ସକାଳେ ପିଲାମାନେ ଶ୍ରେଣୀଗୃହରେ ପାଠ ପଢ଼ୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଉପର ମହଲାର ଛାତ ଭୁଶୁଡ଼ି ପଡ଼ିବାରୁ ତଳ ମହଲାର ଶ୍ରେଣୀଗୃହଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଅନେକ ଛାତ୍ରଛାତ୍ରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଉଦ୍ଧାରକାରୀ ଦଳ, ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ।
ଆହତଙ୍କୁ ପେଶାୱାରର ଲେଡି ରିଡିଂ ହସ୍ପିଟାଲରେ ଚିକିତ୍ସା କରାଯାଇଛି। ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ହସ୍ପିଟାଲ ପକ୍ଷରୁ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ କରାଯାଇଛି।
ଅନ୍ୟପଟେ ଏହି ଦୁର୍ଘଟଣା ପରେ ସ୍କୁଲର ମାଲିକଙ୍କୁ ପୁଲିସ ଗିରଫ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।