ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ମୃତ

ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଠାବ

ନୂଆଦିଲ୍ଲୀ, ୧୭/୧୦: ଘରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ। ସନ୍ଦେହଜନକ ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ସକାଳେ ଗ୍ରେଟର ନୋଏଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ରାବୁପୁରା ଅଞ୍ଚଳର ନାଗଲା ଶ୍ରୀ ପଦମ୍ ଗାଁରେ ଥିବା ଏକ ଘରେ ଦମ୍ପତି ଏବଂ ସେମାନଙ୍କର ତିନିରୁ ୧୧ ବର୍ଷ ବୟସର ତିନି ପିଲାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି।

ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତକମାନେ ହେଲେ ମହେଶ (୩୭), ତାଙ୍କ ସ୍ତ୍ରୀ ଲଳିତା (୩୫) ଏବଂ ସେମାନଙ୍କର ପିଲା ଲଡ୍ଡୁ (୧୧), ମିଷ୍ଟି (୭) ଏବଂ ସାକ୍ଷତ (୩)।

ପୋଲିସର ସୂଚନା ଅନୁଯାୟୀ, ଶନିବାର ସକାଳେ ରାବୁପୁରା ଥାନାରେ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଥିଲା। ସ୍ଥାନୀୟ ପୋଲିସ, ବରିଷ୍ଠ ଅଧିକାରୀ, ଏକ ଆମ୍ବୁଲାନ୍ସ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି।

ପ୍ରାଥମିକ ତଦନ୍ତ ସମୟରେ, ପଡ଼ୋଶୀ ଏବଂ ମହେଶଙ୍କ ମାଆ ପୋଲିସକୁ କହିଥିଲେ ଯେ ପରିବାର ସଦସ୍ୟମାନେ ରାତିରେ ନୁଡୁଲ୍ସ ଖାଇଥିଲେ। ପରଦିନ ସକାଳେ ସମସ୍ତ ପାଞ୍ଚ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ପାଟିରୁ ଫେଣ ମଧ୍ୟ ବାହାରୁଥିଲା।ତେବେ ସେମାନଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତଦନ୍ତ ଜାରି ରହିଛି।