ମୋଦିଙ୍କ ବାପା ବି ଯିବେ: ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟ
ଅଶାଳୀନତାର ସୀମା ଲଙ୍ଘିଛି କଂଗ୍ରେସ: ଖଡ଼ଗେଙ୍କ ଉପରେ ବର୍ଷିଲେ ଅମିତ ଶାହ
ମୃତ ପରିବାରବର୍ଗଙ୍କୁ ରାଜନୀତିକୁ ଟାଣିବା କଂଗ୍ରେସର ‘ସଂସ୍କୃତି’: ନୀତିନ ନବୀନ
ନୂଆଦିଲ୍ଲୀ, ୨୫/୧୦: ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ ବାପୁ ସଭାଗାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ହରିୟାଣାର ସରକାର ହେଉଛି ଚୋରି ସରକାର। ଏହା ଭୋଟ୍ ଚୋରିର ସରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ଏହି ସମୟରେ ସଭାସ୍ଥଳରୁ ଜଣେ ବ୍ୟକ୍ତି କହିଥିଲେ, ମୋଦି କେବେ ଯିବେ ନାହିଁ। ଏହା ଉପରେ ଖଡ଼ଗେ ଗର୍ଜନ କରି ଜବାବ ଦେଇଛନ୍ତି, ମୋଦୀଙ୍କ ବାପା ବି ଯିବେ। ତାଙ୍କର ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି।
ସେ ଆହୁରି ମଧ୍ୟ କହିଥିଲେ, ଦରଦାମ ବୃଦ୍ଧି ଚରମରେ ରହିଛି। ଏ ମୋଦି ଲୋକଙ୍କ ଜୀବନ ମୁସ୍କିଲ କରି ଦେଇଛନ୍ତି। ସଂସଦର ଅଧିବେଶନ ଚାଲିଲେ, ମୋଦି ଏବଂ ଶାହ ଭୟରେ ଭିତରକୁ ଆସୁ ନାହାନ୍ତି। ଅସ୍ପୃଶ୍ୟତା ମାନସିକତା ଥିବା ଲୋକମାନେ ଏବେ ବି ଆରଏସଏସ ଓ ବିଜେପିରେ ଭର୍ତ୍ତି ଅଛନ୍ତି। ଯେପର୍ଯ୍ୟନ୍ତ ଆରଏସଏସ ଦୂର ନ ହୁଏ, ସେପର୍ଯ୍ୟନ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ।
ତେବେ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଏହି ବୟାନ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ମୋଦିଙ୍କ ବାପାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ଶାହ କହିଛନ୍ତି, କଂଗ୍ରେସର ଏହି ଅଶାଳୀନ ମନ୍ତବ୍ୟ ନିନ୍ଦନୀୟ। କଂଗ୍ରେସର ଆଚରଣ ପ୍ରଥମ ଥର ନୁହେଁ, ବାରମ୍ବାର ହେଉଛି। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଅଶାଳୀନତାର ସୀମା ଲଙ୍ଘିଛି। ବାରମ୍ବାର ନିର୍ବାଚନୀ ପରାଜୟ କଂଗ୍ରେସ ପାଇଁ ହତାଶା ସୃଷ୍ଟି କରିଛି। କଂଗ୍ରେସର ଆଉ କୌଣସି ନୀତି, ଆଦର୍ଶ ନାହିଁ କି ପ୍ରସଙ୍ଗ ନାହିଁ। କଂଗ୍ରେସର କେବଳ ଅପବାଦର ରାଜନୀତି ରହିଛି। ଲୋକଙ୍କ ମଧ୍ୟରେ ସାର୍ବଜନୀନ ସତ୍ତାର ଆଧାର ହରାଇଛି କଂଗ୍ରେସ। କଂଗ୍ରେସ ନିଜ କର୍ମୀଙ୍କ ମଧ୍ୟରେ ନୀତି, ନୈତିକତା ହରାଉଛି।କଂଗ୍ରେସର ଘୃଣ୍ୟ ମାନସିକତା ପାଇଁ ଜନତା ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି କହିଛନ୍ତି ଶାହ।
ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଖଡଗେଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆଜି ପାଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଯେଉଁ ଅରୁଚିକର ଏବଂ ଅସଂସଦୀୟ ଭାଷା ପ୍ରୟୋଗ କରିଛନ୍ତି, ତାହା କଂଗ୍ରେସ ଦଳର ଆଦର୍ଶଗତ ଦେବାଳିଆପଣକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି। ରାଜନୈତିକ ବିରୋଧରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମର୍ଯ୍ୟାଦା ରହିଥାଏ, କିନ୍ତୁ ସାଧାରଣ ସଭା ମଞ୍ଚରୁ ମୃତ ପରିବାରବର୍ଗଙ୍କୁ ଟାଣିବା ଏବେ ରାହୁଲ ଗାନ୍ଧୀ ଏବଂ ସମଗ୍ର ବିରୋଧୀ ଦଳର ପ୍ରକୃତ ‘ସଂସ୍କୃତି’ ପାଲଟିଯାଇଛି। ଏହା କୌଣସି ବ୍ୟକ୍ତିଗତ ମନ୍ତବ୍ୟ ନୁହେଁ, ବରଂ ସମଗ୍ର କଂଗ୍ରେସ ଦଳର ଚିନ୍ତାଧାରାରେ ଶିଷ୍ଟାଚାରର ଅଭାବକୁ ପଦାରେ ପକାଇଛି। ଯେତେବେଳେ ଦେଶର ବିକାଶ, ନୀତି ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ବିରୋଧୀଙ୍କ ପାଖରେ କୌଣସି ଠୋସ୍ ପ୍ରସଙ୍ଗ ନଥାଏ, ସେତେବେଳେ ସେମାନେ ଏଭଳି ବ୍ୟକ୍ତିଗତ ଆକ୍ରମଣର କରିଥାନ୍ତି। ଦେଶର ଜନସାଧାରଣ ଏହି ଅରୁଚିକର ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି ଏବଂ ଯଥାସମୟରେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ନୀତିନ।