ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’
ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଗତି କରୁଛି
ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ
ଭୁବନେଶ୍ୱର, ୨୬/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଆଜି ରାତି ସୁଦ୍ଧା ଏକ ‘ଭୀଷଣ ବାତ୍ୟା’ ଏବଂ ଆସନ୍ତାକାଲି ସୁଦ୍ଧା ଏକ ‘ଅତି ଭୀଷଣ ବାତ୍ୟା’ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ମଚ୍ଛଲିପଟନମ୍ମଠାରୁ ୮୩୦ କିଲୋମିଟର, କାକିନାଡ଼ାଠାରୁ ୭୩୦ କି.ମି., ବାପଟାଲାଠାରୁ ୯୧୦ କି.ମି. ଓ ବିଶାଖାପାଟଣାଠାରୁ ୬୫୦ କି.ମି. ଦୂରରେ ରହିଛି। ଏହା ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଆସନ୍ତା ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପାଟ୍ଲା ଏବଂ ବିଶାଖାପାଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।
ବାତ୍ୟା ସିଧାସଳଖ ଓଡ଼ିଶା ଉପରେ ମାଡ଼ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଯଥାକ୍ରମେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରିକୁ ରେଡ୍ ଆର୍ଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଅକ୍ଟୋବର ୨୭ରୁ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ଝଡ଼ ତୋଫାନ ବହିବାର ସମ୍ଭାବନା ଅଛି।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ୨୨୫ଟି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ଟିମ୍ କୁ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ଜିଲ୍ଲା, ବ୍ଲକ ଏବଂ ତହସିଲ୍ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।
ଅନ୍ୟପଟେ ସମୁଦ୍ର ଅଶାନ୍ତ ରହିଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଗୁଜବଠାରୁ ଦୂରେଇ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି।