ଦୀପାବଳୀରେ ଜଗତସିଂହପୁରରେ ନିଆରା ପରମ୍ପରା

ଦୀପାବଳୀର ଅନେକ ମାହାତ୍ମ୍ୟ

ଭାରତ ପର୍ବ ପର୍ବାଣୀର ଦେଶ। ବାର ମାସରେ ତେର ପର୍ବ। ସବୁ ପର୍ବ ମଧ୍ୟରେ ଦୀପାବଳୀ ହେଉଛି ଆଲୋକର ପର୍ବ, ଆନ୍ଦର ପର୍ବ ଓ ମିଳନର ପର୍ବ। ଦୀପାବଳୀ ଶବ୍ଦଟି ଦୀପ ଓ ଆବଳୀ ଦୁଇ ଶବ୍ଦର ସମାହାର। ଅର୍ଥ ହେଉଛି ଦୀପର ଧାଡି। ଏହି ଦିନ ସାରା ଭାରତ ବର୍ଷ ଦୀପର ଆଲୋକରେ ଝଲସି ଉଠେ। ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅମଙ୍ଗଳ ଉପରେ ମଙ୍ଗଳର ବିଜୟର ପ୍ରତୀକ ହେଉଛି ଦୀପାବଳୀ।

ଦୀପାବଳୀର ପୌରାଣିକ ମାହାତ୍ମ୍ୟ ଅତ୍ୟନ୍ତ ଗଭୀର। ଅନେକ କାହାଣୀ ଏହି ପର୍ବ ସହିତ ଜଡିତ। ପ୍ରଥମ କାହାଣୀ ରାମାୟଣ ସହିତ ଜଡିତ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚଉଦ ବର୍ଷ ବନବାସ ଓ ରାବଣ ବଧ ପରେ ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଥିଲେ ଏହି କାର୍ତ୍ତିକ ଅମାବାସ୍ୟା ଦିନ। ଅଯୋଧ୍ୟା ବାସୀ ତାଙ୍କୁ ସ୍ୱାଗତ କରିବା ପାଇଁ ସାରା ନଗରୀକୁ ଦୀପରେ ସଜାଇଥିଲେ। ସେହି ଦିନଠୁ ଦୀପାବଳୀ ପାଳନ ହୋଇ ଆସୁଛି। ଦ୍ୱିତୀୟ କାହାଣୀ ମହାଭାରତ ସହିତ ଜଡିତ। ପାଣ୍ଡବମାନେ ବାର ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତବାସ ପରେ ହସ୍ତିନାପୁର ଫେରିଥିଲେ ଏହି ଦିନ। ତୃତୀୟ କାହାଣୀ ସମୁଦ୍ର ମନ୍ଥନ ସହିତ ଜଡିତ। ଏହି ଦିନ କ୍ଷୀର ସାଗରରୁ ମା ଲକ୍ଷ୍ମୀ ଆବିର୍ଭୂତା ହୋଇଥିଲେ। ତେଣୁ ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ। ଚତୁର୍ଥ କାହାଣୀ ଶ୍ରୀକୃଷ୍ଣଙ୍କ ସହିତ ଜଡିତ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରି ଷୋଳ ହଜାର ଗୋପୀଙ୍କୁ ମୁକ୍ତ କରିଥିଲେ। ତେଣୁ ଏହାକୁ ନରକ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ।

ଓଡ଼ିଶାରେ ଦୀପାବଳୀର ସ୍ୱତନ୍ତ୍ର ପରମ୍ପରା ଅଛି। ଏଠାରେ ଦୀପାବଳୀକୁ ପାଞ୍ଚ ଦିନ ଧରି ପାଳନ କରାଯାଏ। ଧନତେରସ, ନରକ ଚତୁର୍ଦ୍ଦଶୀ, ବଡ ଦୀପାବଳୀ, ବଳି ପୂଜା ଓ ଭାଇ ଦୂଜ। ଧନତେରସ ଦିନ ଧନର ଦେବୀ ମା ଲକ୍ଷ୍ମୀ ଓ ଧନ୍ୱନ୍ତରୀଙ୍କ ପୂଜା ହୁଏ। ଲୋକେ ଏହି ଦିନ ସୁନା ରୂପା ଓ ନୂଆ ବାସନ କିଣନ୍ତି। ନରକ ଚତୁର୍ଦ୍ଦଶୀ ଦିନ ସକାଳୁ ଅଭ୍ୟଙ୍ଗ ସ୍ନାନ କରିବାର ପରମ୍ପରା ଅଛି। ବଡ ଦୀପାବଳୀ ଦିନ ସନ୍ଧ୍ୟାରେ ମା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା ହୁଏ। ବ୍ୟବସାୟୀମାନେ ଏହି ଦିନ ନୂଆ ଖାତା ପୂଜା କରନ୍ତି। ଜଗତସିଂହପୁରେ ଏହି ଦିନ ଦୋକାନୀମାନେ ନୂଆ ବହି ଖାତାରେ ଶୁଭ ଲାଭ ଲେଖି ପୂଜା କରନ୍ତି। ଓଡ଼ିଶାର ବିଶେଷ ପରମ୍ପରା ହେଉଛି ବଡ ବାଡୁଆ ଡାକ। ଏହି ଦିନ ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗକୁ ଫେରାଇବା ପାଇଁ କାଉଁରିଆ କାଠି ଜାଳି ବଡ ବାଡୁଆଙ୍କୁ ଡକାଯାଏ। ଅନ୍ଧାରେ ଆସ ଆଲୁଅରେ ଯାଅ ବାଡିରେ ଥିବ ମହାଦୀପ ଗଦାରେ ଥିବ ଭୋଜନ ବୋଲି କହି ପିତୃ ପୁରୁଷଙ୍କୁ ବିଦାୟ ଦିଆଯାଏ। ଏହା ଓଡ଼ିଶା ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଏହା ଆମ ପିତୃ ଭକ୍ତିର ପ୍ରତୀକ। ବଳି ପୂଜା ଦିନ ରାଜା ବଳିଙ୍କ ପୂଜା ହୁଏ ଓ ଭାଇ ଦୂଜ ଦିନ ଭାଇ ଭଉଣୀର ସ୍ନେହର ପର୍ବ ପାଳନ ହୁଏ। ଭଉଣୀ ଭାଇର ମଙ୍ଗଳ କାମନା କରି ପୂଜା କରେ।

ଦୀପାବଳୀର ବୈଜ୍ଞାନିକ ଓ ସାମାଜିକ ମାହାତ୍ମ୍ୟ ମଧ୍ୟ ବହୁତ ଅଛି। କାର୍ତ୍ତିକ ମାସ ହେଉଛି ଶରତ ଓ ହେମନ୍ତର ସନ୍ଧି ସମୟ। ଏହି ସମୟରେ ବର୍ଷା ପରେ ବହୁ କୀଟ ପତଙ୍ଗ ଜନ୍ମ ନିଅନ୍ତି। ଦୀପ ଓ ଧୂପ ଧୂଆଁରେ ସେହି କୀଟ ପତଙ୍ଗ ନଷ୍ଟ ହୁଅନ୍ତି। ଘର ସଫା କରିବା ଦ୍ୱାରା ରୋଗ ଜୀବାଣୁ ନଷ୍ଟ ହୁଅନ୍ତି। ତେଣୁ ଦୀପାବଳୀ ପୂର୍ବରୁ ଘର ସଫା କରିବାର ପରମ୍ପରା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ। ସାମାଜିକ ଦୃଷ୍ଟିରୁ ଦୀପାବଳୀ ମିଳନର ପର୍ବ। ଏହି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି, ମିଠା ବାଣ୍ଟନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି। ଧନୀ ଗରିବ ଭେଦ ଭୁଲି ସମସ୍ତେ ଏକାଠି ଆନନ୍ଦ କରନ୍ତି। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଦୀପାବଳୀର ଗୁରୁତ୍ୱ ଅଛି। ଏହି ସମୟରେ ବଜାରରେ ବହୁ କିଣା ବିକା ହୁଏ, ଅର୍ଥନୀତି ଚଳ ଚଞ୍ଚଳ ହୁଏ। କୁମ୍ଭାର, ମିଠା ଦୋକାନୀ, ବସ୍ତ୍ର ବ୍ୟବସାୟୀ ସମସ୍ତେ ଲାଭବାନ ହୁଅନ୍ତି।

କିନ୍ତୁ ଆଜି ଦୀପାବଳୀର ମୂଳ ମାହାତ୍ମ୍ୟ ହଜିଯାଉଛି। ମାଟି ଦୀପ ବଦଳରେ ଚାଇନା ଲାଇଟ ଆସିଛି, ଫୁଲଝାଡି ବଦଳରେ ବଡ ବଡ ଶବ୍ଦର ବାଣ ଆସିଛି। ବାଣ ଫୁଟା ଯୋଗୁଁ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ବଢୁଛି। ବୃଦ୍ଧ, ଶିଶୁ ଓ ପଶୁ ପକ୍ଷୀ ବହୁ କଷ୍ଟ ପାଉଛନ୍ତି। ମଦ ଓ ଜୁଆ ଖେଳ ବଢିଛି। ଏହା ଦୀପାବଳୀର ଆଦର୍ଶ ନୁହେଁ। ଦୀପାବଳୀ ହେଉଛି ସାତ୍ତ୍ୱିକ ପର୍ବ। ଏହି ଦିନ ମା ଲକ୍ଷ୍ମୀ ସେହି ଘରକୁ ଆସନ୍ତି ଯେଉଁଠି ପରିଷ୍କାର ପରିଚ୍ଛନ୍ନତା, ଶାନ୍ତି ଓ ସତ୍ୟ ଥାଏ। ତେଣୁ ଆମେ ମାଟି ଦୀପ ଜାଳିବା, ପରିବେଶ ଅନୁକୂଳ ଦୀପାବଳୀ ପାଳନ କରିବା ଉଚିତ। ଗରିବଙ୍କୁ ଦାନ ଦେବା, ଅନାଥ ଶିଶୁଙ୍କୁ ମିଠା ବାଣ୍ଟିବା ହେଉଛି ପ୍ରକୃତ ଦୀପାବଳୀ।

ଜଗତସିଂହପୁର ଜିଲ୍ଲାରେ ଦୀପାବଳୀର ନିଆରା ପରମ୍ପରା ଦେଖିବାକୁ ମିଳେ। ଏଠାରେ ପ୍ରତ୍ୟେକ ଗାଁରେ ବଡ ବାଡୁଆ ଡାକ ପାଇଁ ଶହ ଶହ ଲୋକ ଏକାଠି ହୁଅନ୍ତି। ନଦୀ କୂଳରେ ହଜାର ହଜାର ଦୀପ ଜଳେ। ପାରାଦୀପ ସମୁଦ୍ର କୂଳରେ ଏହି ଦିନ ଦୀପଦାନ ଉତ୍ସବ ଅନୁଷ୍ଠିତ ହୁଏ। ସାରଳା ପୀଠରେ ଏହି ଦିନ ବିଶେଷ ପୂଜା ହୁଏ। ମା ସାରଳାଙ୍କ ମନ୍ଦିର ଦୀପରେ ଝଲସି ଉଠେ। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଆସନ୍ତି।

ଶେଷରେ ଏତିକି କୁହାଯାଇପାରେ ଯେ ଦୀପାବଳୀ କେବଳ ବାହାରେ ଦୀପ ଜାଳିବା ନୁହେଁ, ଭିତରେ ଦୀପ ଜାଳିବା। ଆମ ମନ ଭିତରେ ଥିବା ଅନ୍ଧକାର, ହିଂସା, ଘୃଣା, ଲୋଭକୁ ଦୂର କରି ପ୍ରେମ, ଦୟା, କରୁଣାର ଦୀପ ଜାଳିବା ହେଉଛି ପ୍ରକୃତ ଦୀପାବଳୀ। ଆସନ୍ତୁ ଏହି ଦୀପାବଳୀରେ ଆମେ ଶପଥ ନେବା ଯେ ଆମେ ନିଜେ ଭଲ ରହିବା ଓ ଅନ୍ୟକୁ ଭଲରେ ରଖିବା। ପ୍ରତ୍ୟେକ ଘରେ ସୁଖ ଶାନ୍ତି ଫେରି ଆସୁ, ପ୍ରତ୍ୟେକ ମନରେ ଆଲୋକ ଭରି ଯାଉ। ଶୁଭ ଦୀପାବଳୀ।