ନୂଆଦିଲ୍ଲୀ, ୨୬/୧୦: ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କନଭୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲା ଅନ୍ତର୍ଗତ ହଲିୟାପୁର ନିକଟସ୍ଥ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାହୁଲ ଗାନ୍ଧୀ ଲକ୍ଷ୍ନୌରୁ ସୁଲତାନପୁର କୋର୍ଟରେ ଏକ ମାମଲାର ଶୁଣାଣି ପାଇଁ ଯାଉଥିବା ସମୟରେ କନଭୟ ସାମନାରେ ଏକ ଆମ୍ବୁଲାନ୍ସ ହଠାତ୍ ବ୍ରେକ୍ ମାରିବା ଯୋଗୁଁ କନଭୟରେ ଥିବା ୪ ରୁ ୫ଟି ଗାଡ଼ି ପଛକୁ ପଛ ପରସ୍ପର ସହ ପିଟି ହୋଇଯାଇଥିଲେ।
ରାହୁଲ ଗାନ୍ଧୀ ଯେଉଁ ଗାଡ଼ିରେ ଥିଲେ, ତାହା କନଭୟର ଆଗରେ ଥିବାରୁ ତାଙ୍କ ଗାଡ଼ି ସୁରକ୍ଷିତ ରହିଛି ଏବଂ ତାଙ୍କର କୌଣସି କ୍ଷତି ହୋଇନାହିଁ। କନଭୟର ପଛରେ ଥିବା କେତେକ ନେତା, କର୍ମୀ ଓ ସୁରକ୍ଷାକର୍ମୀଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ଏବଂ ରାହୁଲ ଗାନ୍ଧୀ ନିଜର ଆଗାମୀ କାର୍ଯ୍ୟକ୍ରମ ପାଇଁ ଗସ୍ତ ଜାରି ରଖିଛନ୍ତି।