ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’

ଆଜି ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର, ୦୨/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୁରାସୁ’ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି। ବିଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୨୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ମୁରାସୁ’ ବର୍ତ୍ତମାନ ଚେନ୍ନାଇଠାରୁ ୨୦୦ କିମି, ନେଲୋରରୁ ୨୧୦ କିମି, କାଭାଲିରୁ ୨୨୫ କିମି, ଓଙ୍ଗୋଲରୁ ୨୬୦ କିମି ଏବଂ ମଛଲିପଟନମ୍‌ଠାରୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।

ଏହି ବାତ୍ୟା ଆଜି ମଧ୍ୟରାତ୍ରିରୁ କାଲି ଭୋର ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍‌ ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ଏବଂ ସର୍ବାଧିକ ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ଉପକୂଳ ଆନ୍ଧ୍ର ସମେତ ସଂଲଗ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି।