ମୁରାସୁ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

୩ରୁ ପବନ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୦୧/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଯିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ସବୁଠାରୁ ଅଧିକ ରହିବାକୁ ଥିବା ବେଳେ ଆସନ୍ତାକାଲିଠାରୁ ଏଠାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୩ ଏବଂ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଆସନ୍ତାକାଲି ଅର୍ଥାତ୍ ସୋମବାର ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷକରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ସେହିପରି ନଭେମ୍ବର ୩ ଅର୍ଥାତ୍ ମଙ୍ଗଳବାର ଦିନ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ; ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟ୍‌କା ପବନର ବେଗ ୭୦ କିମି ଯାଏଁ ପହଞ୍ଚିପାରେ।

ନଭେମ୍ବର ୪ ଅର୍ଥାତ୍ ବୁଧବାର ପାଗର ସ୍ଥିତି ପ୍ରାୟ ସମାନ ରହିବ। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ନଭେମ୍ବର ୫ ଅର୍ଥାତ୍ ଗୁରୁବାରଠାରୁ ବର୍ଷାର ପରିମାଣ କମିବାକୁ ଲାଗିବ। କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

‘ମୁରାସୁ’ର ସମ୍ଭାବ୍ୟ ମୁକାବିଲା ପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସତର୍କ କରାଯାଇଛି। ପ୍ରବଳ ବର୍ଷା ଓ ଝଟ୍‌କା ପବନକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।