ରାସ୍ତା ଉପରେ ଖସି ପଡ଼ି ନିଆଁ ପିଣ୍ଡୁଳା ପାଲଟିଲା ବିମାନ

ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ମୃତ୍ୟୁ

ୱାଶିଂଟନ୍, ୦୨/୧୧: ଆମେରିକାର ଦକ୍ଷିଣ ଫ୍ଲୋରିଡାସ୍ଥିତ ପାମ ବିଚ୍ କାଉଣ୍ଟି ଅଞ୍ଚଳରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଟେକ୍ସାସରୁ ବାହାମାସ ଯାଉଥିବା ଏକ ବ୍ୟାବସାୟିକ ପ୍ରାଇଭେଟ୍ ଜେଟ୍ ଏକ ଜନବହୁଳ ଆବାସିକ ଅଞ୍ଚଳରେ ଖସିପଡ଼ିଛି। ଖସି ପଡିବା ପରେ ତାହା ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ପ୍ରାଇଭେଟ୍ ଜେଟ୍‌ଟି ଟେକ୍ସାସର ଅଷ୍ଟିନ୍ ସହରରୁ ବାହାରି ବାହାମାସ ଅଭିମୁଖେ ଯାଉଥିବାବେଳେ ରବିବାର ଦ୍ୱିପ୍ରହର ପ୍ରାୟ ୧୨:୫୦ ମିନିଟ୍ ସମୟରେ ଦକ୍ଷିଣ ଫ୍ଲୋରିଡା ଆକାଶରେ ହଠାତ୍ ବିପଦର ସମ୍ମୁଖୀନ ହୋଇଥିଲା। ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) କର୍ତ୍ତୃପକ୍ଷଙ୍କୁ ଜରୁରୀକାଳୀନ ସ୍ଥିତି (ମେ’ଡେ) ନେଇ ସୂଚନା ଦେବା ସହ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲେ। ଏହାପରେ ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇ ସିଧାସଳଖ ତଳକୁ ଖସିପଡ଼ିଥିଲା ଏବଂ ଏକ ରାସ୍ତା ନିକଟରେ ବିସ୍ଫୋରଣ ହୋଇ ଏକ ବିରାଟ ଅଗ୍ନି ପିଣ୍ଡୁଳା ପାଲଟି ଯାଇଥିଲା।

ଘଟଣାସ୍ଥଳରେ ଘରଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିନା‌ହିଁ।ଖବର ପାଇ ଫାୟାର ଫାଇଟର୍, ପାମ ବିଚ୍ କାଉଣ୍ଟି ସରିଫ୍ ଅଫିସ୍ ଏବଂ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆମେରିକାର ପରିବହନ ସଚିବ ସିନ୍ ଡଫି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।