ବରିଷ୍ଠ ନେତା ଏନ୍‌.ଭାସ୍କର ରାଓଙ୍କ ଘରେ ଇଓଡବ୍ଲ୍ୟୁ ରେଡ୍

୮୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ

ରାୟଗଡ଼ା, ୦୬/୧୧: ବରିଷ୍ଠ ନେତା ଏନ୍‌. ଭାସ୍କର ରାଓଙ୍କ ଘରେ ଇଓଡବ୍ଲ୍ୟୁ ଚଢ଼ାଉ। ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ରାୟଗଡ଼ା ଟାଉନ୍‌ସ୍ଥିତ ବାସଭବନରେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏକ ଟିମ୍‌ ଚଢ଼ାଉ କରିଛି।

ରାୟଗଡ଼ା ଟ୍ରକ୍‌ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଏହି ଚଢାଉ ହୋଇଛି। ଏହି ମାମଲାରେ ଭାସ୍କର ରାଓଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ନାଁ ଆସିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଟ୍ରକ୍‌ ମାଲିକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ଏହି ଅର୍ଥ ହେରଫେର ନେଇ ରାୟଗଡ଼ା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସଂଘର ପ୍ରାୟ ୮୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପରେ ରାୟଗଡ଼ା ପୁଲିସ ଏହି ମାମଲାକୁ କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ହସ୍ତାନ୍ତର କରିଥିଲା।

ଏହି ମାମଲାର ତଦନ୍ତ ପାଇଁ ୨୧ ଜଣିଆ EOW ଟିମ୍‌ ରାୟଗଡ଼ାରେ ପହଞ୍ଚିଛି। ଟିମ୍‌ରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୫ ଜଣ ଡିଏସ୍‌ପି ଓ ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଏହି ଟିମ୍‌ ଭାସ୍କର ରାଓଙ୍କ ରାଣୀଗୁଡ଼ାସ୍ଥିତ ବାସଭବନରେ ଚଢ଼ାଉ କରିଛି। ତେବେ ଚଢ଼ାଉ ସମୟରେ ଭାସ୍କର ରାଓ ନିଜ ବାସଭବନରେ ଉପସ୍ଥିତ ନଥିବା ସୂଚନା ରହିଛି। ତାଙ୍କ କିଛି ସହଯୋଗୀ ଓ କର୍ମଚାରୀଙ୍କୁ ତଦନ୍ତକାରୀ ଟିମ୍‌ ପଚରାଉଚରା କରୁଛନ୍ତି।