ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଓଆରଏସ ଅଧିକାରୀ

୨୦୨୪ରେ ଓଆରଏସ ଅଧିକାରୀ ଭାବେ ଯୋଗ ଦେଇଥିଲେ

ବାଲେଶ୍ୱର, ୬/୧୧: ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଓଆରଏସ ଅଧିକାରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଜମି ରେଜିଷ୍ଟ୍ରି କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି।

ସୂଚନା ଅନୁସାରେ, ଜମି ରେଜିଷ୍ଟ୍ରି ସମ୍ପର୍କିତ କାମ କରାଇବା ପାଇଁ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଜଣେ ବ୍ୟକ୍ତିଙ୍କୁ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା। ମନୀଷା ମିଶ୍ର ୭ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି।

ତେବେ ମନୀଷା ମିଶ୍ର ପ୍ରୋବେସନ ପିରିୟଡରେ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦୨୪ରେ ଓଆରଏସ ଅଧିକାରୀ ଭାବେ ସେ ଯୋଗ ଦେଇଥିଲେ। ପ୍ରୋବେସନ ପିରିୟଡରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ଭାବେ ନିଯୁକ୍ତି ପାଇଥିଲେ।