ଚିଟ୍‌ଫଣ୍ଡ ଠକେଇ ମାମଲା: ଏମ୍‌ସ ମାର୍କେଟିଂ ମୁଖ୍ୟ ଦୋଷୀ ସାବ୍ୟସ୍ତ

ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଠକସଂସ୍ଥା ଏମ୍‌ସ ମାର୍କେଟିଂର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦିବ୍ୟକେଶରୀ ମହାନ୍ତିଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏମ୍‌ସ ମାର୍କେଟିଂ ବିରୋଧରେ କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ରହିଛି। ବାଲେଶ୍ବର ସହର ମାନସିଂବଜାରର ନିରାକାର ନାୟକ ଏହି ଚିଟ୍‌ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ।

ଏହାପରେ, ପୁଲିସ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ସହ ୧୫ ଜଣଙ୍କ ନାଁରେ ୨୫/୧୫ରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ୨୦୧୫ ମସିହା ଡିସେମ୍ବର ୧ ତାରିଖ ଦିନ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କୁ କୋର୍ଟଚାଲାଣ କରାଯାଇଥିଲା।

ମାମଲାଟି ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତରେ ବିଚାରଧୀନ ଥିଲାବେଳେ ଆଜି ପୂର୍ବାହ୍ନରେ ବିଚାରପତି ୧୮ ଜଣଙ୍କ ସାକ୍ଷୀ ଓ ୨୨ଟି ପ୍ରମାଣ ଦସ୍ତାବିଜ୍‌କୁ ଭିତ୍ତିକରି ଶ୍ରୀ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ ପଣ୍ଡା ମାମଲା ପରିଚାଳନା କରୁଥିଲେ। ଯାହା ସୂଚନା ରହିଛି; ଆସନ୍ତାକାଲି ମାମଲାର ଦଣ୍ଡ ଶୁଣାଣି ହେବ।