ଶିମଲା, ୧୪/୧୧: ସୋସିଆଲ ମିଡିଆରେ ଗାନ୍ଧୀ ପରିବାରକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହୋଇଛି ଏତଲା। ହିମାଚଳ ପ୍ରଦେଶର ଶିମଲା ପୋଲିସ ନଭେମ୍ବର ୧୩ ତାରିଖ ଅର୍ଥାତ ଶୁକ୍ରବାର ଏହି ମାମଲା ରୁଜୁ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଥିବା ଅଭିଯୋଗ ହୋଇଛି। ଏଥିସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ଅଭିଯୋଗକାରୀ।
ଶିମଲାର ବାସିନ୍ଦା ଅବସରପ୍ରାପ୍ତ କ୍ୟାପଟେନ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ସେ ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଶୋକ ତିୱାରୀଙ୍କ ନିକଟକୁ ଇମେଲ୍ ଯୋଗେ ଅଭିଯୋଗ ପଠାଇଥିଲେ। ଏଥିରେ କଙ୍ଗନାଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ସୋସିଆଲ ମିଡିଆ ପୋଷ୍ଟର ସାଇବର ଫରେନସିକ୍ ଯାଞ୍ଚ କରିବାକୁ ସେ ଦାବି କରିଥିଲେ।
ଅଭିଯୋଗ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ଗାନ୍ଧୀ ପରିବାରକୁ ନେଇ କିଛି ପୋଷ୍ଟ କରିଥିଲେ। ଏହି ପୋଷ୍ଟଗୁଡ଼ିକରେ ଇନ୍ଦିରା ଗାନ୍ଧୀ, ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କରେ କିଛି ଆପତ୍ତିଜନକ ବାର୍ତ୍ତା ଥିବା ଅତୁଲ ଶର୍ମା ଅଭିଯୋଗ କରିଛନ୍ତି।
ବିଶେଷକରି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ କରାଯାଇଥିବା ମନ୍ତବ୍ୟକୁ ସେ ଆପତ୍ତିଜନକ ବୋଲି କହିଛନ୍ତି। କଙ୍ଗନାଙ୍କ ପୋଷ୍ଟରେ ସୋନିଆ ଗାନ୍ଧୀଙ୍କୁ ରହସ୍ୟମୟ ବିଦେଶୀ ନାଗରିକ ବୋଲି କୁହାଯାଇଥିଲା।
ଏଥିସହ ଗାନ୍ଧୀ ପରିବାରର ସଦସ୍ୟମାନଙ୍କ ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ସୋନିଆ ଗାନ୍ଧୀଙ୍କ ରାଜନୈତିକ ଉତ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିବା ଅଭିଯୋଗ ହୋଇଛି।