ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ: ଯୋଗଦେଲେ ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ବିଧାନସଭା କେବଳ ଆଇନ ପ୍ରଣୟନର ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତୀକ: ମୁଖ୍ୟମନ୍ତ୍ରୀ
ବିଧାନସଭା ଗୃହକୁ ଯିବା ପୂର୍ବରୁ ଗୃହର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ବିଷୟରେ ପ୍ରତ୍ୟେକ ବିଧାୟକଙ୍କ ସ୍ପଷ୍ଟ ଜ୍ଞାନ ରହିବା ଆବଶ୍ୟକ: ଉପରାଷ୍ଟ୍ରପତି
ଭୁବନେଶ୍ୱର, ୧୬/୧୧: ଆଜି ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ବିଷୟରେ ଦିଗ୍ଦର୍ଶନ ଦେଇଛନ୍ତି।
ଏହି ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ ଯେ, ଓଡ଼ିଶାର ପ୍ରଗତି ହିଁ ଦେଶର ପ୍ରଗତି। ସୁସ୍ଥ ଓ ଗଠନମୂଳକ ବିତର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ। ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ଆଜିର କାର୍ଯ୍ୟକ୍ରମ ଏ ଦିଗରେ ବେଶ୍ ସହାୟକ ହେବ । ରାଜ୍ୟସଭାକୁ ଯିବା ପୂର୍ବରୁ ସେ ମଧ୍ୟ ସଂସଦୀୟ ନିୟମ ଓ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ବିଷୟରେ ପ୍ରତ୍ୟେକ ବିଧାୟକଙ୍କ ସ୍ପଷ୍ଟ ଜ୍ଞାନ ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ବର୍ତ୍ତମାନର ଡିଜିଟାଲ ଯୁଗରେ ବିଧାୟକମାନେ ନିଜର ଅଭିଜ୍ଞତା ସହିତ ନୂତନ ଜ୍ଞାନକୌଶଳକୁ ଆପଣାଇବା ଉଚିତ ବୋଲି ମତ ଦେଇ ଉପରାଷ୍ଟ୍ରପତି କହିଥିଲେ ବିଧାୟକମାନଙ୍କୁ ବିଶେଷ ଭାବେ AI ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ। ଓଡ଼ିଶା ବିଧାନସଭାରେ ଡିଜିଟାଲ ହାଉସ୍ର ଶୁଭାରମ୍ଭକୁ ସେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହା ସମସ୍ତ ବିଧାୟକଙ୍କ ପାଇଁ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ।
ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାକୁ ସ୍ୱାଗତ କରିବା ସହ ୨୦୨୪ର ‘ଜ୍ଞାନ ସଂସ୍କାର’ ପରେ ବିଧାୟକଙ୍କ ଦକ୍ଷତା ଓ ନିରନ୍ତର ଶିକ୍ଷଣ ପରମ୍ପରାକୁ ଆଗକୁ ବଢ଼ାଇଥିବାରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରାଜ୍ୟପାଳ କହିଥିଲେ ଯେ, ଜନାଦେଶ ଜନପ୍ରତିନିଧିଙ୍କୁ ଜନତାଙ୍କ ବିଶ୍ୱାସ ଓ ଉତ୍ତରଦାୟିତ୍ୱ ପ୍ରଦାନ କରେ ଏବଂ ଜ୍ଞାନ, ଅନୁଶାସନ ଓ ସମ୍ବେଦନଶୀଳତା ହିଁ ସେହି ବିଶ୍ୱାସକୁ ସାର୍ଥକ ଜନସେବାରେ ରୂପାନ୍ତରିତ କରିଥାଏ। ଭାରତୀୟ ସମ୍ବିଧାନ ଆମ ଗଣତନ୍ତ୍ରର ଆଧାର ହୋଇଥିବାରୁ ଗୃହର ସଦସ୍ୟତା ଜନତାଙ୍କ ବିଶ୍ୱାସ ଓ ଗମ୍ଭୀର ସାମ୍ବିଧାନିକ ଉତ୍ତରଦାୟିତ୍ୱର ପ୍ରତୀକ ଅଟେ ଏବଂ ପ୍ରଶ୍ନକାଳରେ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା, ବିଧେୟକ ଉପରେ ବିଚାର କରିବା, ସରକାରୀ ନୀତିର ସମୀକ୍ଷା କରିବା ତଥା ସଂସଦୀୟ ସମିତିଗୁଡ଼ିକର ସୁପାରିସ ଉପରେ ସମୟୋଚିତ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶା ବିଧାନସଭା କେବଳ ଆଇନ ପ୍ରଣୟନର ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତୀକ। ତେଣୁ ଗୃହର ମର୍ଯ୍ୟାଦାକୁ ରକ୍ଷାକରି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀ ମାଝୀ ସମସ୍ତ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ।
ରାଜ୍ୟ ସରକାର ତଥା ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉପରାଷ୍ଟ୍ରପତିଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ଗୌରବର ବିଷୟ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ୨୦୨୫ ନଭେମ୍ବର ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ସମସ୍ତ ବିଧାୟକଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ଆଜି ମାନ୍ୟବର ଉପରାଷ୍ଟ୍ରପତିଙ୍କ ଜନସେବାର ଲମ୍ବା ଅଭିଜ୍ଞତା, ସଂସଦୀୟ ଲୋକତନ୍ତ୍ର ପ୍ରତି ନିଷ୍ଠା ଓ ସାମ୍ବିଧାନିକ ପ୍ରକ୍ରିୟାର ଅନୁଭୂତି ସମସ୍ତଙ୍କୁ ମାର୍ଗଦର୍ଶନ ଦେବା ସହ ପ୍ରେରଣା ଯୋଗାଇବ। ଏଥିସହ ବିଧାୟକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୨୦୨୪ ଅଗଷ୍ଟ ମାସରେ ‘ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ’ ଏବଂ ଆଜିର ଏହି ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆସନ୍ତା ଶୀତକାଳୀନ ଅଧିବେଶନ ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାରେ ସହାୟକ ହେବ । ଜଣେ ବିଧାୟକଙ୍କ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ‘ବିଧେୟକ’ ବା ଆଇନ ପ୍ରସ୍ତୁତ କରିବା। ଏହା ବ୍ୟତୀତ ଦଳମତ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରୁଥିବା ବିଧାନସଭାର ସ୍ଥାୟୀ କମିଟି ଗୁଡ଼ିକରେ ବିଧାୟକମାନେ ସକ୍ରିୟ ଅଂଶଗ୍ରହଣ କରି ସରକାରଙ୍କୁ ନିଜ ମତାମତ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ ଯେ ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସଂସଦୀୟ ନିୟମ, ବିଧାନ ପ୍ରକ୍ରିୟା ଓ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଦକ୍ଷ ଓ ସଚେତନ କରିବା। ଏକ ସୁସ୍ଥ ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ଦଳ ଉଭୟଙ୍କର ଗଠନମୂଳକ ଭୂମିକା ଅପରିହାର୍ଯ୍ୟ ହୋଇଥିବା ବେଳେ ଜଣେ ବିଧାୟକ କେବଳ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି ନୁହନ୍ତି, ବରଂ ସେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ବାହକ ଏବଂ ରାଜ୍ୟର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି। ଏହା ସହିତ ବିଧାନସଭାର ଅଭିଜ୍ଞତା ସହିତ ପ୍ରଶାସନିକ ଦାୟିତ୍ୱର ସମନ୍ୱୟ ଜଣେ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଏବଂ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।