ମୃତ୍ୟୁଯନ୍ତା ପାଲଟିଛି ପୋଙ୍ଗଲୀ ରାସ୍ତାର ଡିମ୍ବିରି ଗଛ ଝୋଲା
୧୦୦ ଫୁଟ୍ ଗଭୀର ଖାତ, ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ?
କଲ୍ୟାଣସିଂହପୁର, ୧୬/୧୧: ରାସ୍ତା କଡ଼ରେ ଶହେ ଫୁଟ୍ ଗଭୀର ଖାତ ନାହିଁ ସୁରକ୍ଷା ବାଡ଼ କି ସତର୍କ ସୂଚନା ଫଳକ। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧଖାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପୋଙ୍ଗଲୀ ଗ୍ରାମ ନିକଟସ୍ଥ ଡିମ୍ବିରି ଗଛ ଝୋଲା ରାସ୍ତା। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଆଶଙ୍କାରେ ରହୁଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଉଦ୍ବେଗ ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ ପୋଙ୍ଗଲୀ ଗ୍ରାମ ଦେଇ କଲ୍ୟାଣସିଂହପୁର ବ୍ଲକକୁ ଥେରୁବାଲି ମାଧ୍ୟମରେ ରାୟଗଡ଼ା ସହର ସହ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳର ଏକ ପ୍ରମୁଖ ଯୋଗାଯୋଗ ମାଧ୍ୟମ। ପୋଙ୍ଗଲୀ ଛକ ଠାରୁ କିଛି ଦୂରତା ରେ ଏକ ବଡ଼ ଖାଲ ହୋଇ ରହିଛି। ରାସ୍ତା ର ଧଡିକୁ ଲାଗି ରହିଛି।ଅନ୍ୟ ପାର୍ଶ୍ୱରେ ଧାନ ଜମି ରହିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଯାନବାହନ, ଯାତ୍ରୀବାହି ବସ ରେ ଲୋକେ ଯାତାୟାତ କରୁଛନ୍ତି। କିନ୍ତୁ ଡିମ୍ବିରି ଗଛ ଝୋଲା ନିକଟରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ୍ ଗଭୀର ଖାତ ରହିଥିବାରୁ ଟିକିଏ ଅସାବଧାନତା ହେଲେ ଏକ ବଡ଼ ଅଘଟଣର କାରଣ ହୋଇପାରେ। ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘଦିନ ଧରି ଏହି ସ୍ଥାନଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏଯାଏଁ ସୁରକ୍ଷା ବାଡ଼ ନିର୍ମାଣ କିମ୍ବା ସତର୍କତାମୂଳକ ବ୍ୟବସ୍ଥା କରାଯାଇନାହିଁ। ଫଳରେ ରାତି ସମୟରେ ଯାତାୟାତ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। ଏହି ସ୍ଥାନରେ ପୂର୍ବରୁ ବଡ଼ ଗାଡି ଅନ୍ୟ ଗାଡିକୁ ସାଇଡ ଦେବା ବେଳେ ମଧ୍ୟ ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ। ହେଲେ ଅଭିଯୋଗ ସତ୍ତ୍ୱେ ଏଯାଏଁ ଗୁରୁତ୍ୱ ନ ନେଇ କୌଣସି ପଦକ୍ଷେପ ନିଆଯାଇନଥିବାରୁ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣା ଘଟିବା ପରେ ହିଁ କ’ଣ ପ୍ରଶାସନର ନିଦ ଭାଙ୍ଗିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତେଣୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଉକ୍ତ ସ୍ଥାନରେ ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ ସତର୍କ ସୂଚନା ଫଳକ ସ୍ଥାପନ ଏବଂ ଆବଶ୍ୟକ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମର ନରସିଂହ ହିକକା, ଦାସୁ ହିକକା, ଅର୍ଜୁନ ହିକକା, ସଦାରାମ ହିକକା, ଧର୍ମେନ୍ଦ୍ର ହିକକା ଓ ଲାଚନା ହିକକା ପ୍ରମୁଖ ପ୍ରକାଶ କରିଛନ୍ତି।