ଆଇସିସି ଚେୟାରମ୍ୟାନ ଭାବେ ପୁଣି ଥରେ ନିର୍ବାଚିତ ହେଲେ ଜୟ ଶାହ
ଭରସା କରି ଥିବାରୁ ସମସ୍ତ ନିର୍ଦ୍ଦେଶକ ମାନଙ୍କୁ ଧନ୍ୟବାଦ ଜଣାଇଲେ
ନୂଆଦିଲ୍ଲୀ, ୧୬/୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ ଭାବେ ଦ୍ୱିତୀୟ ଥର ପାଇଁ ନିଯୁକ୍ତ ହୋଇଛନ୍ତି ଜୟ ଶାହ। ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦବୀ ପାଇଁ ପୁନଃନିର୍ବାଚିତ ହୋଇଛନ୍ତି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ନିର୍ଦ୍ଦେଶକମାନଙ୍କ ପ୍ରସ୍ତାବ ପରେ ତାଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଚେୟାରମ୍ୟାନ ଭାବେ ପୁନଃନିଯୁକ୍ତ କରାଯାଇଛି।
ଆଇସିସି ପକ୍ଷରୁ ସୋମବାର ଏନେଇ ଔପଚାରିକ ଘୋଷଣା କରାଯାଇଛି। ବୋର୍ଡର ନିର୍ଦ୍ଦେଶକମାନେ ଜୟ ଶାହଙ୍କ ନେତୃତ୍ୱ ଉପରେ ଭରସା ପ୍ରକାଶ କରିବା ସହ ତାଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦେବାକୁ ପ୍ରସ୍ତାବ ରଖିଥିଲେ। ତାଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି।
ଦ୍ୱିତୀୟ ଥର ପାଇଁ ଏହି ଗୁରୁଦାୟିତ୍ୱ ମିଳିବା ପରେ ଜୟ ଶାହ ଆଇସିସି ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବୋର୍ଡ ତାଙ୍କ ଉପରେ ଭରସା ରଖିଥିବାରୁ ସେ ଗଭୀର କୃତଜ୍ଞ ବୋଲି କହିଛନ୍ତି। ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ ଗର୍ବର ବିଷୟ ହେବା ସହ ଏକ ବଡ଼ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଛନ୍ତି। ବିଶ୍ୱ କ୍ରିକେଟ୍ର ଉନ୍ନତି ଏବଂ ସମସ୍ତ ସଦସ୍ୟ ଦେଶର ସ୍ୱାର୍ଥର ସୁରକ୍ଷା ପାଇଁ ସେ ନିରନ୍ତର କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।
ଜୟ ଶାହ କହିଛନ୍ତି ଯେ, ବିଶ୍ୱ କ୍ରିକେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଓ ରୋମାଞ୍ଚକର ପର୍ଯ୍ୟାୟ ଦେଇ ଗତି କରୁଛି। ବିଶେଷକରି ୨୦୨୮ ମସିହାରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ଖେଳର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଏକ ବଡ଼ ସୁଯୋଗ। ଏହା ମାଧ୍ୟମରେ ନୂଆ ଦର୍ଶକଙ୍କ ନିକଟରେ କ୍ରିକେଟ୍ ପହଞ୍ଚିବା ସହ ଯୁବପିଢ଼ିଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରାଯାଇପାରିବ। ଏଥିପାଇଁ ଆଇସିସି ଏବଂ ଏହାର ସଦସ୍ୟ ଦେଶଗୁଡ଼ିକୁ ମିଳିତ ଭାବେ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଜୟ ଶାହଙ୍କ ପୁନଃନିଯୁକ୍ତିକୁ ଆଇସିସିର ବିଭିନ୍ନ ଅଧିକାରୀ ଓ ସଦସ୍ୟମାନେ ସ୍ୱାଗତ କରିଛନ୍ତି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଅଧ୍ୟକ୍ଷ ରିଚାର୍ଡ ଥମ୍ପସନ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ICCର ସ୍ୱାଧୀନ ନିର୍ଦ୍ଦେଶକ ଡା. ରୋଜ୍ ରିଭାଜ୍ ମଧ୍ୟ ଜୟ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟରେ ଜୟ ଶାହ ପ୍ରଥମ ଥର ପାଇଁ ଆଇସିସି ଚେୟାରମ୍ୟାନ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେହିବର୍ଷ ଡିସେମ୍ବର ୧ ତାରିଖରେ ସେ ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ରେ ମଧ୍ୟ ନେତୃତ୍ୱ ଦାୟିତ୍ୱ ତୁଲାଇଥିଲେ। ମାତ୍ର ୩୬ ବର୍ଷ ବୟସରେ ଆଇସିସିର ସବୁଠାରୁ କମ୍ ବୟସ୍କ ଚେୟାରମ୍ୟାନ ହେବାର ଗୌରବ ହାସଲ କରିଥିଲେ।