ନଭେମ୍ବର ୨୦ରେ ଆନ୍ଧ୍ର ଉପକୂଳ ଛୁଇଁବ ଅତି ଭୀଷଣ ବାତ୍ୟା ‘ଅକ୍ଭାନ୍’
ନେଲୁର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା
ଭୁବନେଶ୍ୱର, ୧୬/୧୧: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବାକୁ ଥିବାବେଳେ ଧୀରେ ଧୀରେ ଶକ୍ତି ବୃଦ୍ଧି କରି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ନେଲୁର ଏବଂ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବ। ବେଳେବେଳେ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାକୁ ନେଇ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କତା ଜାରି ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘଣ୍ଟାପ୍ରତି ପ୍ରାୟ ୬ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ନଭେମ୍ବର ୧୬ ତାରିଖ ସକାଳ ସାଢ଼େ ୮ଟା ସୁଦ୍ଧା ଏହା ତ୍ରିଙ୍କୋମାଲିଠାରୁ ପ୍ରାୟ ୬୩୦ କିଲୋମିଟର, ଚେନ୍ନାଇଠାରୁ ୭୦୦ କିଲୋମିଟର, ବିଶାଖାପାଟଣାଠାରୁ ୮୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ପ୍ରାୟ ୯୧୦ କିଲୋମିଟର ଦକ୍ଷିଣରେ ରହିଥିଲା।
ଆଜି ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ଅକ୍ଭାନ୍’ ରହିବ। ଏହାପରେ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସହ ୧୮ ଓ ୧୯ ତାରିଖରେ ଆହୁରି ଶକ୍ତିଶାଳୀ ହୋଇପାରେ। ନଭେମ୍ବର ୧୯ ତାରିଖ ରାତିରୁ ଏହାର ପ୍ରଭାବ ଆନ୍ଧ୍ର ଉପକୂଳରେ ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି।
ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ନଭେମ୍ବର ୧୯ ଓ ୨୦ ତାରିଖରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହାଦ୍ୱାରା ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା ଏବଂ ଯାତାୟାତ ବ୍ୟାହତ ହେବାର ଆଶଙ୍କା ରହିଛି। ଜୋର୍ ପବନ ଯୋଗୁଁ ଗଛ ଉପୁଡ଼ିବା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ କୃଷି ଫସଲର କ୍ଷତି ହୋଇପାରେ।
ଏପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବ। ନଭେମ୍ବର ୧୭ ତାରିଖ ସନ୍ଧ୍ୟାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହେବାର ଆକଳନ ରହିଛି। ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବା ସହ ତଳିଆ ଓ ବିପଦସଂକୁଳ ଅଞ୍ଚଳ ଚିହ୍ନଟ କରିବାକୁ କହିଛନ୍ତି। ଦକ୍ଷିଣ ଓଡ଼ିଶାର ଭୂସ୍ଖଳନ ପ୍ରବଣ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ନଭେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।