ବିଧାନସଭାର ଅଷ୍ଟମ ଅଧିବେଶନ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ୍‌ର କଟକଣା

ଭୁବନେଶ୍ୱର, ୧୬/୧୧: ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ଗାଡ଼ି ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି। ଏଥିପାଇଁ ସହରର ୫ଟି ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳର ମାର୍ଗ ପରିବର୍ତ୍ତନ କରାଯିବ।

ପୋଲିସ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେଶରୀ ଟକିଜ୍ ଛକ ନିକଟରୁ ଅନ୍ୟ ରାସ୍ତାକୁ ଡାଇଭର୍ଟ କରାଯିବ। ସେହିପରି ଏଜି ଛକରୁ ପିଏମଜି ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ନିକଟରେ ଡାହାଣକୁ ମୋଡ଼ି ଆଇଜି ପାର୍କ ରାସ୍ତା ଦେଇ ଯାତାୟାତ କରିବେ।

ଅନ୍ୟପଟେ ମାଷ୍ଟର କ୍ୟାଣ୍ଟିନ୍ ପଟୁ ପିଏମଜି ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଲୋୟର ପିଏମଜି ନିକଟସ୍ଥ ପାର୍ଶ୍ୱ ଗଳି ରାସ୍ତା ଦେଇ ଛଡ଼ାଯିବ। ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ସେହି ରାସ୍ତାରେ ଯିବାକୁ ଅନୁମତି ମିଳିବ ନାହିଁ। ଏହି ଗାଡ଼ିଗୁଡ଼ିକୁ ପାୱାର ହାଉସ୍ ଛକ ଆଡ଼କୁ ଡାଇଭର୍ଟ କରାଯିବ।

ସେହିପରି ଲୋକଭବନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଓ ବିଧାୟକ କଲୋନୀ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ଶାସ୍ତ୍ରୀନଗର ଛକ ଦେଇ ଯିବାକୁ ପଡ଼ିବ। ଏଥିପାଇଁ ୧୨୦ ବାଟାଲିୟନ ଛକ ନିକଟରୁ ଯାନବାହନର ଗତିପଥ ପରିବର୍ତ୍ତନ କରାଯିବ।

ତେବେ ପୋଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।