ସୁବର୍ଣ୍ଣପୁର, ୨୦/୧୧: ମଙ୍ଗଳସୂତ୍ର ବନ୍ଧା ପକାଇ ବନ୍ଧୁକ କିଣିବା ସହ ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କ ସହାୟତାରେ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଛି ସ୍ତ୍ରୀ। ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ କଲେ ଏସପି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ବାଇକ୍ରେ ଯାଉଥିବା ବେଳେ ବ୍ରାହ୍ମଣୀପାଲି ଗାଁର ଯୁବକଙ୍କୁ ୪ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଏହା ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କୁ ଲଗାଇ ସ୍ବାମୀକୁ ରାସ୍ତାରୁ ହଟାଇଥିବା ପତ୍ନୀ ଏବେ ପୋଲିସ ହାତରେ।
ପତ୍ନୀଙ୍କର ପରକୀୟା ପ୍ରୀତିକୁ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ପତ୍ନୀ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।ହତ୍ୟାକାଣ୍ଡ କରିବା ପାଇଁ ଅଭିଯୁକ୍ତ ପତ୍ନୀ ନିଜର ମଙ୍ଗଳସୂତ୍ର ବନ୍ଧା ପକାଇ ଟଙ୍କା ଯୋଗାଡ଼ କରିଥିଲେ ଏବଂ ସେଥିରେ ଏକ ବନ୍ଧୁକ କିଣିଥିଲେ। ସେହି ବନ୍ଧୁକକୁ ସେ ତାଙ୍କ ପ୍ରେମିକକୁ ଦେଇଥିଲେ।
ଗତ ନଭେମ୍ବର ୧୭ ତାରିଖରେ ଯୁବକ ଜଣକ ବାଇକ୍ ଯୋଗେ ଯାଉଥିବା ବେଳେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି-ଅଇଁଲାସାରି ରାସ୍ତାର ପାଙ୍କେଲ ଗାଁ ନିକଟରେ ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ।
ବିନିକା ଓ ସୁବର୍ଣ୍ଣପୁର ପୋଲିସ ତଦନ୍ତ କରି ଏହି ଘଟଣାର ପର୍ଦ୍ଦାଫାସ୍ କରିବା ସହ ଅଭିଯୁକ୍ତ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବକଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଗିରଫ କରିଛି।