ଭୟଙ୍କର ବିମାନ ଦୁର୍ଘଟଣା; ମଝି ଆକାଶରେ ହୁତୁହୁତୁ ହୋଇ ଜଳିଲା ମିଲିଟାରୀ ଏୟାରକ୍ରାଫ୍ଟ

ବିମାନରେ ଥିବା ୧୭ ଜଣଙ୍କ ମୃତ୍ୟୁ

ମସ୍କୋ, ୧୮/୧୧: ରୁଷ୍‌ର ସାଇବେରିଆ ଅଞ୍ଚଳରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କେମେରୋଭୋ ଅଞ୍ଚଳରେ ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖ ରାତିରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଉଡ଼ୁଥିବା ସମୟରେ ନିଆଁ ଲାଗିବା ପରେ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣାଗ୍ରସ୍ତ ବିମାନଟି ରୁଷ୍‌ର ସାମରିକ ପରିବହନ ବିମାନ ଆଣ୍ଟୋନୋଭ୍ ଏଏନ୍‌-୧୨ ବୋଲି ଚିହ୍ନଟ କରାଯାଇଛି। କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟରେ ଏହା ଖସିପଡ଼ିଥିଲା। ରୁଷ୍‌ର ଗଣମାଧ୍ୟମ ଇଜଭେଷ୍ଟିଆ ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବିମାନଟି ଆକାଶରେ ଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ରୁତଗତିରେ ତଳକୁ ଖସି ଆସିବା ସହ ଭୂମିରେ ପିଟି ହୋଇ ବିସ୍ଫୋରଣ ହୋଇଥିଲା।

ଘଟଣା ସମ୍ପର୍କରେ କେମେରୋଭୋ ଅଞ୍ଚଳର ଗଭର୍ଣ୍ଣର ଇଲିଆ ସେରେଡ୍ୟୁକ୍ ସୂଚନା ଦେଇ କହିଛନ୍ତି ଯେ, ୟାଗୁନୋଭୋ ଗାଁ ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଖବର ପାଇବା ପରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ, ପୁଲିସ ଓ ଜରୁରୀକାଳୀନ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ସେ କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ବିମାନଟି ନୋଭୋସିବିର୍ସ୍କରୁ କ୍ରାସନୋୟାର୍ସ୍କ ଅଞ୍ଚଳର କାନ୍ସକ ଅଭିମୁଖେ ଯାଉଥିବା କୁହାଯାଉଛି। କିନ୍ତୁ ଏହା କେଉଁ ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହେଲା, ସେ ନେଇ ତଦନ୍ତ ଚାଲିଛି।