ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ପକ୍ଷରୁ ସର୍ବଭାରତୀୟସ୍ତରରେ କନିଷ୍ଠ ଅଧିକାରୀ(ଜେଓ) ପଦବି ପାଇଁ ଆଶାୟୀମାନେ ଆବେଦନ କରିବାସହ ପରୀକ୍ଷା ବି ଦେଇଥିଲେ। ଏମିତିକି ଫଳାଫଳ ପ୍ରକାଶିତ ହୋଇ ଇଣ୍ଟରଭିୟୁ ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଥିଲା। ତେବେ ଇଣ୍ଟରଭିୟୁର ଠିକ୍ ପୂର୍ବତନ ଏହାକୁ ବାତିଲ କରିଦିଆଯାଇଛି। ସମଗ୍ର ନିଯୁକ୍ତିକୁ ରଦ୍ଦ କରାଯିବା ପଛରେ ମୂଲ୍ୟାଙ୍କନରେ ଅନିୟମିତତା ଦର୍ଶାଯାଇଛି। ଫଳରେ ରାଉରକେଲାର ଶତାଧିକଙ୍କ ସମେତ ସମେତ ସମଗ୍ର ଦେଶରେ ହଜାର ହଜାର ଆଶାୟୀଙ୍କୁ ନିରାଶହେବାକୁ ପଡ଼ିଛି।
ସେଲ୍ ଅଧିନସ୍ଥ ବିଭିନ୍ନ ଇସ୍ପାତ କାରଖାନାରେ କନିଷ୍ଠ ଅଧିକାରୀ ନିଯୁକ୍ତ ପାଇଁ କିଛି ମାସ ପୂର୍ବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଣୁ ହଜାର ହଜାର ଆଶାୟୀ ଆବେଦନ କରିଥିଲେ। ଏହି କ୍ରମରେ ରାଉରକେଲାର ବହୁସଂଖ୍ୟକ ଆଶାୟୀ ଆବେଦନ କରିଥିଲେ। ପରେ ଗତ ନଭେମ୍ବର ୬ ତାରିଖରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପ୍ରାୟ ଦେଢ଼ ମାସ ପରେ, ଅର୍ଥାତ୍, ଡିସେମ୍ବର ୧୯ ତାରିଖରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶିତ ହୋଇଥିଲା। ଏହି କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ପାଇଁ ଆଜିଠାରୁ(୨୩ ଡିସେମ୍ବର) ଜାନୁଆରି ୫ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଗତକାଲି ସଂପୂର୍ଣ୍ଣ ବିଜ୍ଞପ୍ତିକୁ ରଦ୍ଦ କରିଦିଆଯାଇଛି। ମୂଲ୍ୟାଙ୍କନରେ ଅସଙ୍ଗତି ଓ ଫଳାଫଳ ତାଲିକା ପ୍ରସ୍ତୁତିରେ ଅନିୟମିତତା ପରିଲକ୍ଷିତ ହେବା ଯୋଗୁଁ ସମଗ୍ର ପ୍ରକ୍ରିୟାକୁ ରଦ୍ଦ କରିଦିଆଯାଇଥିବା ସେଲ୍ ପକ୍ଷରୁ କାରଣ ଦର୍ଶାଯାଇଛି।