‘ନୋଟବନ୍ଦୀ ବେଆଇନ’: ବିମୁଦ୍ରୀକରଣ ଉପରେ ସୁପ୍ରିମ୍‌କୋର୍ଟର ସାମ୍ବିଧାନ ଖଣ୍ଡପୀଠରେ ଭିନ୍ନମତ ଦେଇଥିବା ଜଷ୍ଟିସ୍‌ ବିଭି ନାଗାରତ୍ନା

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସରକାରୀ ବିଜ୍ଞପ୍ତି ବେଆଇନ ଥିଲା। ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇପାରି ନଥାନ୍ତା ବୋଲି ନିଜର ଭିନ୍ନମତ ପୋଷଣ କରି ରାୟରେ କହିଛନ୍ତି ଜଷ୍ଟିସ୍‌ ବିଭି ନାଗାରତ୍ନା।

ଆଜି ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ୪:୧ ସଂଖ୍ୟାଗରିଷ୍ଠତା ସହିତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ନିଷ୍ପତ୍ତିକୁ ସମର୍ଥନ କରଛନ୍ତି। ତେବେ, ଏହି ସମ୍ବିଧାନିକ ଖଣ୍ଡପୀଠରେ ଅନ୍ୟତମ ବିଚାରପତି ରହିଥିବା ଜଷ୍ଟିସ୍‌ ବିଭି ନାଗାରତ୍ନା ସଂଖ୍ୟାଗରିଷ୍ଠ ରାୟରେ ଏକମତ ନହୋଇ ନିଜର ଭିନ୍ନମତ ରଖି କେନ୍ଦ୍ରର ନଭେମ୍ବର ୮, ୨୦୧୬ର ବିଜ୍ଞପ୍ତି ବେଆଇନ ବୋଲି କହିଛନ୍ତି । ସେ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀଙ୍କ ସହ ସହମତ ହୋଇଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମର ଧାରା ୨୬ ଅନୁଯାୟୀ, ଆରବିଆଇର କେନ୍ଦ୍ରୀୟ ବୋର୍ଡ ସ୍ୱାଧୀନ ଭାବରେ ବିମୁଦ୍ରୀକରଣ ପାଇଁ ସୁପାରିସ କରିବା ଉଚିତ୍‌ ଏବଂ ଏହା ସରକାରଙ୍କ ପରାମର୍ଶ ମାଧ୍ୟମରେ କରାଯିବା ଉଚିତ ନୁହେଁ।