ଯୁବତୀଙ୍କୁ ଧକ୍କା ଦେଇ କାରରେ ଘୋଷାଡି ନେଇଥିବା ୫ଅଭିଯୁକ୍ତଙ୍କୁ ୩ଦିନିଆ କଷ୍ଟଡିକୁ ନେଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୩ବର୍ଷ ବୟସ୍କା ଯୁବତୀଙ୍କୁ ୫ଜଣ ଯୁବକ ବସିଥିବା ଏକ କାର କିଛି କିଲୋମିଟର ଟାଣି ନେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ ସେମାନଙ୍କୁ ୩ଦିନିଆ ପୁଲିସ କଷ୍ଟଡିକୁ ପଠାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ପାଞ୍ଚ ଦିନିଆ ହେପାଜତକୁ ନେବା ପାଇଁ ଆବେଦନ କରିଥିଲା। ହେଲେ ସୋମବାର କୋର୍ଟ ଦିଲ୍ଲୀ ପୁଲିସକୁ ତିନି ଦିନିଆ କଷ୍ଟଡିକୁ ନେବା ପାଇଁ ଅନୁମତି ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲ (୨୭)। ତେବେ ମନୋଜ ମିତ୍ତଲ ଜଣେ ବିଜେପି ନେତା ହୋଇଥିବାରୁ ପୁଲିସ ଏହି ଘଟଣାକୁ ଗୁରୁତ୍ବ ଦେଉନାହିଁ ବୋଲି କହିଛନ୍ତି ଆପ୍ ମୁଖପାତ୍ର ସୌରବ ଭରଦ୍ବାଜ। ସେ କହିଛନ୍ତି ଗିରଫ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ମଧ୍ୟ ଅଛନ୍ତି। ତାଙ୍କ ନାଁ ହେଉଛି ମନୋଜ ମିତ୍ତଲ। ସୁଲତାନପୁରୀରେ ତାଙ୍କର ଏକ ରାସନ ଦୋକାନ ଅଛି। ଏହା ସହିତ ତାଙ୍କର ପୋଷ୍ଟରଗୁଡିକ ଏହି ଅଞ୍ଚଳରେ ଲଗାଯାଇଛି। ଏଥିରେ ମନୋଜ ମିତ୍ତଲଙ୍କୁ ବିଜେପି ୱାର୍ଡ-୪୨ ମଙ୍ଗୋଲପୁରୀର ସହ-ସଂଯୋଜକ କରିଥିବାରୁ ଦଳର ସର୍ବୋଚ୍ଚ ନେତୃତ୍ୱଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ତେବେ ମନୋଜ ବିଜେପି ନେତା ହୋଇଥିବାରୁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି।