ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା, ରଥାରୂଢ ହେଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ: ଆଜି ହେଉଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ପହଣ୍ଡି ବିଜେର ଆସି ରଥାରୂଢ ହେଲେ ଚତୁର୍ଦ୍ଧାବିଗ୍ରହ। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧ୍ଵଜ ରଥରେ ବିରାଜମାନ ହୋଇଛନ୍ତି ବଳଭଦ୍ର। ପରେ ପରେ ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା ଓ ଶେଷରେ ରାଥାରୂଢ ହୋଇଛନ୍ତି କାଳିଆ ଠାକୁର।

ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଥିଲା କରୋନା । ଦୁଇବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡ଼ଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦିକୁ ବିଜେ କରିବେ ଶ୍ରୀଜିଉ। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ। ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି ବଡ଼ଦାଣ୍ଡ।