ନେପାଳ ବିମାନ ଦୁର୍ଘଟଣା: ଘଟଣାସ୍ଥଳରୁ ଉଦ୍ଧାର ହେଲା ୬୮ଜଣଙ୍କ ମୃତଦେହ

ରବିବାର ଦିନ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ମୋଟ ୭୨ଜଣ ଥିଲେ। ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ରିପୋର୍ଟ କରିଛି ନ୍ୟୁଜ୍ ଏଜେନ୍ସି ପିଟିଆଇ। ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ପୋଖରା ବିମାନବନ୍ଦରର ଏଟିସି କର୍ମଚାରୀଙ୍କ କହିବାନୁସାରେ, ପୋଖରା ରନୱେ ପୂର୍ବ-ପଶ୍ଚିମ ଦିଗରେ ନିର୍ମିତ ହୋଇଛି। ବିମାନର ପାଇଲଟ୍ ପ୍ରଥମେ ପୂର୍ବ ପାର୍ଶ୍ୱରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ଅନୁମତି ଦିଆଯାଇଥିଲା। କିନ୍ତୁ ଅଳ୍ପ ସମୟ ପରେ ପାଇଲଟ୍ ପଶ୍ଚିମ ଦିଗରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ପୁନର୍ବାର ତାଙ୍କୁ ଆମେ ଅନୁମତି ଦେଇଥିଲୁ। ହେଲେ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଥିଲା, ତେଣୁ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇପାରିବ ନାହିଁ।