ଝାରସୁଗୁଡାରେ ପହଞ୍ଚିଲେ ଜଷ୍ଟିସ ଜେପି ଦାସ, ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ କରିପାରନ୍ତି ତଦନ୍ତର ତଦାରଖ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡାରେ ପହଞ୍ଚିଲେ ଜଷ୍ଟିସ ଜେପି ଦାସ । ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଦାସ। ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳ ଯିବେ ଜଷ୍ଟିସ ଦାସ। ତେବେ ବିଭିନ୍ନ ତଦନ୍ତକାରୀ ଅଧିକାରୀଙ୍କ ସହ ପ୍ରଥମେ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଦାସ। ପରେ କେଉଁ ସ୍ଥାନକୁ ଯିବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଛି କ୍ରାଇମ୍‌ବ୍ରାଞ୍ଚ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।