ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିରୋମଣି ଅକାଳି ଦଳ

ଚଣ୍ଡିଗଡ଼: ରାଷ୍ଟ୍ରପତି ନିର୍ବାଚନରେ ଶିରୋମଣି ଅକାଳି ଦଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ଏସଏଡି ସଭାପତି ସୁଖବୀର ବାଦଲ ଆମେ ଆମର ରାଜନୈତିକ ବିଚାର ପୃଥକ ରଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଦୀର୍ଘ ୩ ଘଣ୍ଟା କାଳ ଆଲୋଚନା ହୋଇଥିଲା। ପରେ ମୁର୍ମୁଙ୍କୁ ସମର୍ଥନ ପାଇଁ ସର୍ବ ସମ୍ମତି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଏନେଇ ଦ୍ରୌପଦୀ ମୁର୍ମୁ ଓ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଏସଏଡି ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ପାର୍ଟିର ଜରୁରି ବୈଠକ ଡକାଯାଇ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଲାଗି ନିଷ୍ପତ୍ତି ହୋଇଥିବା ବାଦଲ କହିଛନ୍ତି।

ତେବେ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀଙ୍କୁ ନେଇ ଆଲୋଚନାରେ କଂଗ୍ରେସ ସମର୍ଥିତ କୌଣସି ପ୍ରାର୍ଥୀଙ୍କୁ ଏସଏଡି ସମର୍ଥନ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ମିଳିତ ବିରୋଧୀ ଦଳରେ କଂଗ୍ରେସ ମୁଖ୍ୟ ଘଟକ। ଏଣୁ ଏସଏଡି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି।