ଜନଜାତି ସମ୍ପ୍ରଦାୟର ଯୁବବର୍ଗଙ୍କୁ ଉତ୍ତମ ତାଲିମ ଦେଇ ଉଦ୍ୟମୀ କରାଯିବ: ଧର୍ମେନ୍ଦ୍ର

ମୋଦୀ ସରକାରରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷା ତଥା ଗୋଁଣ୍ଡି ଭାଷା, ସାନ୍ତାଳି, ଅଲଚିକି ଭାଷା ସମେତ ଅନ୍ୟାନ୍ୟ ଆଦିବାସୀ ଭାଇ ଭଉଣୀଙ୍କ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ ସହ ଜନଜାତି ସମ୍ପ୍ରଦାୟର ଯୁବବର୍ଗଙ୍କୁ ସ୍କିଲ ଇଣ୍ଡିଆ ଓ ଆଦିବାସୀ ବ୍ୟାପାର ସହଯୋଗରେ ଉତ୍ତମ ତାଲିମ ଦେଇ ଉଦ୍ୟମୀ କରାଯିବ। ଝାରସୁଗୁଡା କଟାପାଲି ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। 

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କରିଛି। ଭଗବାନଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି। ଅତୀତରେ ଦେଶକୁ ସ୍ୱାଧୀନତା ଦେବାରେ ଗୋଁଣ୍ଡ ଜାତିର ତ୍ୟାଗ ଓ ବଳିଦାନକୁ ଭୁଲା ଯାଇପାରିବ ନାହିଁ।ଏହି ସମାଜର ଜନଜାତି ବୀର ସଂଗ୍ରାମୀ ଏବଂ ବୀରଙ୍ଗନାଙ୍କ ବୀରଗାଥାକୁ ଏନ୍‌ସିଇଆରଟି ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯିବ। ଗୋଁଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।