ଆଲାସ୍କା ଉପରେ ଉଡ଼ୁଥିବା ଅଜଣାବସ୍ତୁକୁ ଗୁପ୍ତଚର କାମରେ ଲିପ୍ତ ଥିବାର ପ୍ରମାଣ ମିଳିନାହିଁ : ହ୍ବାଇଟହାଉସ୍

ହ୍ଵାଇଟ୍ ହାଉସ୍ କହିଛି ଯେ ଆମେରିକାର ଏକ ଲଢୁଆ ବିମାନ ଶୁକ୍ରବାର ଆଲାସ୍କା ଉପରେ ଉଡୁଥିବା ଏକ ଅଜଣା ଜିନିଷକୁ ଖସାଇ ଦେଇଛି । ଚୀନ ଗୁପ୍ତଚର ବେଲୁନକୁ ଖସାଇବାର ମାତ୍ର ୬ ଦିନ ପରେ ଏହି ଘଟଣା ଘଟିଛି ।

ହ୍ଵାଇଟ୍ ହାଉସ୍ ଜାତୀୟ ନିରାପତ୍ତା ପରିଷଦର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଏହି ନୂତନ ବସ୍ତୁର ଉଦ୍ଦେଶ୍ୟ କିମ୍ବା ଉତ୍ପତ୍ତି କ’ଣ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ୪୦ ହଜାର ଫୁଟ୍ ଉଚ୍ଚରେ ଉଡୁଥିବା ବେଳେ ଏହାକୁ ଖସାଇଦିଆଯାଇଛି । କିର୍ବି କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ ସେନାକୁ ଏହି ଉଡ଼ନ୍ତା ବସ୍ତୁକୁ ଖସାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆମେରିକା ସେନାର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହା ଚୀନ ବେଲୁନ ପରି କୌଣସି ଗୁପ୍ତଚର କାମରେ ଲିପ୍ତ ଥିବାର ପ୍ରମାଣ ମିଳିନାହିଁ । ତେବେ ଏହାର ଧ୍ବଂସାବଶେଷ ମିଳିବା ପରେ ପ୍ରକୃତ କଥା ସ୍ପଷ୍ଟ ହୋଇପାରିବ ।

ଏହି ଉଡ଼ନ୍ତା ବସ୍ତୁଟି କଣ ତାହା ଜଣାପଡ଼ିନଥିବାରୁ ତାହାକୁ ଆପାତତଃ ବସ୍ତୁ ବୋଲି କୁହାଯାଉଛି । ଏହାର ଧ୍ବଂସାବଶେଷ ଆଲାସ୍କା ସମୁଦ୍ରର ବରଫଜମିଯାଇଥିବା ପାଣିରେ ପଡ଼ିଥିବାରୁ ତାହାକୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି ।