ପାକ୍‌ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସିମ୍‌ କାର୍ଡ ଦେବା ଅଭିଯୋଗରେ ଆସାମରୁ ୫ ଗିରଫ

ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସିମ୍‌ କାର୍ଡ ଯୋଗାଉ ଥିବା ଅଭିଯୋଗରେ ଆସାମର ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିଦେଶୀ ଦୂତାବାସକୁ ପ୍ରତିରକ୍ଷା ସୂଚନା ଦେବା ପାଇଁ ବ୍ୟବହୃତ ହ୍ୟାଣ୍ଡସେଟ୍‌ ସମେତ ଅନେକ ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଅନ୍ୟାନ୍ୟ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଏ ସଂପର୍କରେ ସୂଚନା ଦେଇ ଆସାମ ପୁଲିସ ମୁଖପାତ୍ର ପ୍ରଶାନ୍ତ ଭୂୟାଁ କହିଛନ୍ତି, ଗୁଇନ୍ଦା ବ୍ୟୁରୋ ଓ ଅନ୍ୟ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ମଙ୍ଗଳବାର ରାତିରେ ହୋଇଥିବା ଅପରେସନରେ ଏହି ଗିରଫଦାରୀ କରାଯାଇଛି।
ଅଭିଯୁକ୍ତମାନେ ଏହି ଦୁଇ ଜିଲ୍ଲାର ପାଖାପାଖି ୧୦ ଜଣ ବିଭିନ୍ନ ସେବା ପ୍ରଦାନକାରୀଙ୍କ ଠାରୁ ଜାଲିଆତି କରି ସିମ୍‌ କାର୍ଡ କିଣି ସେସବୁକୁ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କୁ ଯୋଗାଉଥିବା ସୂଚନା ମିଳିଥିଲା; ଯାହା ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିଥିଲା।