କଟକରେ ୫ଟି ସଚିବ; ବସ୍ ଟର୍ମିନାଲ, ଚଣ୍ଡିମନ୍ଦିର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର କଟକ ଗସ୍ତ କରିଛନ୍ତି। ଏହି ଗ୍ରସ୍ତକାଳରେ ସେ ଐତିହାସିକ କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ଏଠାରେ ୨ ବର୍ଷ ହେଲା ଚାଲିଥିବା ନିର୍ମାଣ କାମର ଅଗ୍ରଗତି ନେଇ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଚଣ୍ଡିଛକ ନିକଟସ୍ଥିତ ପ୍ରସିଦ୍ଧ ମା’ କଟକ ଚଣ୍ଡିମଣ୍ଡିଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ। ଚଣ୍ଡିମନ୍ଦିର ରାସ୍ତା ସଂପ୍ରସାରଣ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଚଣ୍ଡିମନ୍ଦିର ପ୍ରକଳ୍ପରେ ମୋଟ ୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ୫ଟି ସଚିବ ରାଣୀହାଟୀରେ ନବନିର୍ମିତ କ୍ଲକ ଟାୱାର ଓ ତାଳଦଣ୍ଡା କେନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ସେହିପରି ଛତ୍ରବଜାରରେ ‌ନିର୍ମାଣଧୀନ ଭେଣ୍ଡିଂ ଜୋନ୍‌ର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକାଳରେ ତାଙ୍କ ସହିତ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପବନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।