କର୍ଣ୍ଣାଟକରେ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁର୍‌ଙ୍କ ୩୯ ଲକ୍ଷ ଟଙ୍କାର ରୁପା ସାମଗ୍ରୀ ଜବତ କଲା ନିର୍ବାଚନ କମିସନ୍‌

ଗୁରୁବାର ମଧ୍ୟରାତ୍ର ପରେ କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ଅନ୍ତର୍ଗତ ହେବ୍ବାଲୁ ଟୋଲ୍‌ ନିକଟ ଚେକ୍‌ ପୋଷ୍ଟ୍‌ରେ ‘ଭାରତର ନିର୍ବାଚନ କମିସନ୍‌’ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଜଯୋକ ବୋନି କପୁରଙ୍କର ବୋଲି କୁହାଯାଉଥିବା ୩୯ ଲକ୍ଷ ଟଙ୍କା ମୂଲ୍ୟର ୬୬ କିଲୋ ଓଜନର ରୁପା ସାମଗ୍ରୀ ଜବତ କରିଛି।

୫ଟି ପେଟିରେ ରଖାଯାଇଥିବା ଏହି ରୁପା ସାମଗ୍ରୀ ସବୁ ଗୋଟାଏ ‘ବିଏମ୍‌ଡବ୍ଲୁ’ କାର୍‌ରେ ଚେନ୍ନାଇରୁ ମୁମ୍ବାଇ ଯାଉଥିଲା। କିନ୍ତୁ, ସ‌େ ରୁପା ସାମଗ୍ରୀଗୁଡ଼ିକର ଉପଯୁକ୍ତ କାଗଜପତ୍ର ନ ଥିଲା। ନିର୍ବାଚନ କମିସନ୍‌ ଅଧିକାରୀମାନେ ଜବତ କରିଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅଛି ରୂପା ବେଲା, ଚାମଚ, ପାଣି ମଗ ଓ ଥାଳିଆ।

ଉକ୍ତ କାର୍‌ରେ ଡ୍ରାଇଭର୍‌ ସୁଲ୍‌ତାନ୍‌ ଖାଁଙ୍କ ସହିତ ଥିବା ହରି ସିଂହଙ୍କ ନାଁରେ ଦାବଣଗେରେ ଗ୍ରାମୀଣ ଥାନାରେ ମାମଲା ରୁଜୁ କରାଯାଇଛି।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ‘ବେଭିୟୁ ପ୍ରୋଜେକ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ରେ ପଞ୍ଜିକୃତ ହୋଇଥିବା ଏହି କାର୍‌ର ମାଲିକ ହେଉଛନ୍ତି ବୋନି କପୁର୍‌। ତଦନ୍ତ ବେଳେ ହରି ସିଂହ ସ୍ବୀକାର କରିଛି ଯେ, ରୁପା ସାମଗ୍ରୀ ସବୁ ବଲିଉଡ୍‌ ପ୍ରଯୋଜକ ବୋନି କପୁରଙ୍କ ପରିବାରର।