ମରଶରୀରକୁ ଅସମ୍ମାନ: ସାଢ଼େ ଦୁଇ ଘଣ୍ଟା ଡାକ୍ତରଖାନାରେ ପଡ଼ି ରହିଲା ମୃତଦେହ

ଆଜି ପୂର୍ବାହ୍ନରେ ବସ୍‌କୁ ଅତିକ୍ରମ କରି ୨ଟି ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ କଳାହାଣ୍ଡି ଜିଲ୍ଲାର ଟେମରାର ରାଜେଶ ନାୟକଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମରଶରୀରକୁ ଜୟପୁର ଟାଉନଥାନା ପୁଲିସ ଜୟପୁର ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରୁ ଉଠାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପୂର୍ବାହ୍ନ ୧୧ଟା ୩୦ରେ ଧରିକି ଆସିଥିଲେ। ପ୍ରଥମେ ରାଜେଶଙ୍କର କେହି ପରିଚିତ ବାହାରି ନଥିଲେ। ମରଶରୀରଟି ସେଭଳି ପଡ଼ି ରହିଥିବା ବେଳେ ପୁଲିସ ଧଳା କନା ଆଣି ପକାଇଥିଲେ।

ତେବେ ମରଶରୀରକୁ ବର୍ହିଃବିଭାଗରୁ ବ୍ୟାବଛେଦ ଗୃହକୁ ନେବା ପାଇଁ ‌ଡାକ୍ତରଖାନାର କୌଣସି କର୍ମଚାରୀ ସହଯୋଗ କରି ନଥିଲେ। ପ୍ରାୟ ସାଢ଼େ ୨ଘଣ୍ଟାକାଳ ସେଭଳି ପଡ଼ି ରହିବା ପରେ ହେଲପ ଡେସ୍କର ଜଣେ କର୍ମଚାରୀ କିଛି ରୋଗୀଙ୍କ ସଂପର୍କୀୟଙ୍କୁ ନେଇ ଶବବ୍ୟାବଛେଦ ଗୃହକୁ ନେଇକି ଯାଇଥିଲେ। ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହ ବର୍ହିଃବିଭାଗକୁ ବିଭିନ୍ନ ରୋଗୀ ଓ ସଂପର୍କୀୟ ଆସୁଥିବାରୁ ତୁରନ୍ତ ବ୍ୟାବଛେଦ ଗୃହକୁ ନେବା କଥା।  ଏଥି ପୂର୍ବରୁ ବି ବହୁ ବାର ଏଭଳି ହୋଇଥିବାରୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।