ପାଣିଟାଙ୍କିକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋଲେ ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ସୋମବାର ଜଣେ ଯୁବକ ଓଭରହେଡ ପାଣିଟାଙ୍କିକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୁମୂର୍ଷ ଅବସ୍ଥାରେ ତାଙ୍କୁ ଅଶ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଏହା ପଛରେ ପ୍ରେମ ସଂପର୍କ ରହିଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଠୁର୍ଲା ଗାଁର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ‌ହୋଇଛି।

ସୂଚନା ଅନୁସାରେ, କୁଠୁର୍ଲା ଗାଁର ପିଣ୍ଟୁ ହରପାଲ ବଲାଙ୍ଗୀର ସହର ଲାଲଟିକ୍ରା ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ। ସେହି ଯୁବତୀଙ୍କୁ ବିବାହ କରିବା ପାଇଁ ସେ ସୋମବାର ସକାଳ ୮ଟା ସମୟରେ ଏହି ଗାଁର ପ୍ରାଥମିକ ସ୍କୁଲ ପଛପଟେ ଥିବା ଓଭରହେଡ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଗ୍ରାମବାସୀ ଟାଙ୍କି ତଳେ ରୁଣ୍ଡହୋଇ ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ।

ହେଲେ ସେ କାହା କଥା ନଶୁଣି କିଛି ଜିନିଷ ପାଟିରେ ପୂରାଇ ଟାଙ୍କି ଭିତରକୁ ପଶିଯାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇଘଣ୍ଟାର ଅଭିଯାନ ପରେ ପିଣ୍ଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେଓଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।