ଆସିବ ସାମୁଦ୍ରିକ ବାତ୍ୟା ‘ମୋଚା’… କିନ୍ତୁ ଗତିପଥ ଏବେ ବି ଅସ୍ପଷ୍ଟ

ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ତେବେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ।

ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା ବେଳେ ୭ ତାରିଖ ଠାରୁ ଆଣ୍ଡାମାନ ନିକୋବର ପାଇଁ ରହିଛି ସତର୍କ ସୂଚନା। କାରଣ ସେହି ସମୟରେ ପବନର ବେଗ ତୀବ୍ର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ସେହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିବା ସହ ସେହି ସମୟରେ ଆଣ୍ଡାମାନ ନିକୋବରକୁ କୌଣସି ପର୍ଯ୍ୟଟକ ବୁଲାବୁଲି ଉଦ୍ଦେଶ୍ୟରେ ନ ଯିବାକୁ ପରାମର୍ଶ ଦେଇଛି ବୋଲି କହିଛନ୍ତି ଶ୍ରୀ ବିଶ୍ୱାସ।