ଶ୍ରୀଅଙ୍ଗକୁ ବିପଦ ସିଂହଦ୍ବାର ପିଚୁରାସ୍ତା

ଶ୍ରୀଅଙ୍ଗ ପାଇଁ ବିପଦ ସାଜିବ ସିଂହଦ୍ବାର ପିଚୁରାସ୍ତା। ପହଣ୍ଡିବେଳେ ବି ଦଇତାପତି ସେବକମାନେ ବି ଆଘାତ ପାଇବାର ଆଶଙ୍କା ରହିଛି। ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ପରିସ୍ଥିତି ବି ସୃଷ୍ଟି ହୋଇପାରେ। ସିଂହଦ୍ବାରରେ ପିଚୁରାସ୍ତାର ନିର୍ମାଣଶୈଳୀ ଦେଖିବା ପରେ ଏଭଳି ଆଶଙ୍କା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ଏଣୁ ତୁରନ୍ତ ସିଂହଦ୍ବାର ପିଚୁରାସ୍ତା, ବିଶେଷକରି ପହଣ୍ଡି ସ୍ଥାନକୁ ସମତୁଲ କରିବାକୁ ଦାବି କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେପଟେ ରଥ ଗଡ଼ିବାରେ ବି ଅସୁବିଧା ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରି ଭୋଇ ସେବକମାନେ ବି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ସିଂହଦ୍ବାର ପିଚୁରାସ୍ତା ନିର୍ମାଣ ଶୈଳୀରେ ସାମାନ୍ୟ ପରିବର୍ତ୍ତନ ସହ ସମତୁଲ କରିବାକୁ ଠିକା ସଂସ୍ଥା ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି।