ଜନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀ ଆସିବେ ହଜାର ହଜାର କୃଷକ

ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ହଜାର ହଜାର କୃଷକ ଆସନ୍ତା ୭ ତାରିଖରେ ଜନ୍ତରମନ୍ତରରେ ପହଞ୍ଚିବେ। ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ବ୍ୟାନରରେ କୃଷକମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜାତୀୟ ସ୍ତରରେ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀର ଜନ୍ତରମନ୍ତରରେ ଖାପ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ମହାପଞ୍ଚାୟତର ଗୋଟିଏ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି। ପକ୍ସୋ ଆକ୍ଟ ସମେତ ଦୁଇଟି ଏଫଆଇଆରର ସମ୍ମୁଖୀନ ହୋଇଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକ ସଂଗଠନ ଦାବି କରିଛି।

ମେ’ ୭ ତାରିଖରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନେକ ବରିଷ୍ଠ ନେତା ଶତାଧିକ କୃଷକଙ୍କ ସହ ଜନ୍ତରମନ୍ତରରେ ଆନ୍ଦୋଳନ ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବେ। ଏସ୍‌କେଏମ୍‌ ନେତାମାନେ ଦିଲ୍ଲୀ ପୁଲିସ କମିଶନର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧି ଦଳ ସହ ଯିବେ ଏବଂ ବ୍ରଜ ଭୂଷଣ ସିଂହଙ୍କୁ ଗିରଫ କରିବାକୁ ଦାବି କରିବେ।