ବିଏମସିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ, କର୍ପୋରେଟମାନଙ୍କ ପ୍ରଶ୍ନ ବାଣରେ ଉଠିଲା ପଡିଲା ଗୃହ
୧୫ଟି ପ୍ରସ୍ତାବକୁ ପରିଷଦର ଅନୁମୋଦନ
କର୍ପୋରେଟରମାନଙ୍କ ଅଭିଯୋଗର ଖୁବ୍ ଶୀଘ୍ର ହେବ ସମାଧାନ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମେୟରଙ୍କ ଅଧକ୍ଷତାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 15 ଗୋଟି ପ୍ରସ୍ତାବକୁ ପରିଷଦ ଅନୁମୋଦନ ପ୍ରଦାନ କରିଥିଲେ। ସେହିପରି ଚଳିତ ବୈଠକରେ ନିର୍ବାଚିତ କର୍ପୋରେଟରମାନେ ସହର ଏବଂ ନିଜ ନିଜ ୱାର୍ଡ ବିଭିନ୍ନ ସମସ୍ୟାକୁ ନେଇ ହଟଗୋଳ ଆରମ୍ଭ କରିଥିଲେ। ସେହିପରି ବୈଠକ ଆରମ୍ଭର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗୃହରେ କୌଣସି ଯନ୍ତ୍ରୀମାନେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ନିଗମଆୟୁକ୍ତ ଜେ ସୋନଲ। ଅନ୍ୟପଟେ ବିଭିନ୍ନ କାର୍ଯ୍ୟରେ ଯନ୍ତ୍ରୀମାନେ ମନମୁଖି କରୁଥିବା ବେଳେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସହଯୋଗ କରୁ ନଥିବା ବହୁ କର୍ପୋରେଟର ଅଭିଯୋଗ କରିଥିବା ବେଳେ ଆଗାମୀ ଦିନରେ ଯେପରି ଏହା ନହୁଏ ଏବଂ ଯଦି କେଉଁ ଅଧିକାରୀଙ୍କ ବିରୁଦ୍ଧରେ ପୁଣି ଅଭିଯୋଗ ଆସେ ତେବେ ସେମାନଙ୍କ ବଦଳି କରିବା ପାଇଁ ସରକାରଙ୍କୁ ଜଣାଇବେ ବୋଲି ବିଧାୟକ ତାଗିଦ କରିଛନ୍ତି। ସେହିପରି ମହାନଗର ନିଗମର ବିଭିନ୍ନ ସ୍ଥାନରେ ପାଞ୍ଚ ଗୋଟି ସିଙ୍ଗଲ ୱିଣ୍ଡୋ ରହିଥିବା ବେଳେ ସେଠାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି ଏବଂ ନିଗମ ଯେଉଁ ଉଦ୍ଦେଶ୍ୟ ରେ ଏହାକୁ ଖୋଲି ଥିଲା ତାହା ସାଧିତ ହେଉ ନଥିବା ଅଭିଯୋଗ କରିଥିଲେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ। ଏବଂ ତାହାକୁ ଖୁବଶୀଘ୍ର ବନ୍ଦ କରିବା ସହିତ ସେହି କର୍ମଚାରୀ ମାନଙ୍କୁ ନିଗମରେ ଆଣି ଖାଲି ପଡିଥିବା ପଦବୀରେ ଅବସ୍ଥାପିତ କରିବା ପାଇଁ ପରିଷଦକୁ ଜଣାଇଥିଲେ। ସେହିପରି ଗତ ଜାନୁଆରୀ ମାସରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସିଲ୍କ ସିଟି ଫେଷ୍ଟିବାଲ କରାଯାଇଥିବା ବେଳେ ସେଥିରେ କେଉଁ ଠାରୁ କେତେ ଟଙ୍କା ଆଦାୟ ହୋଇଛି ଏବଂ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଖୋଦ କଲଚର କମିଟିର ଅଧକ୍ଷ ଜାଣି ନଥିବା ବେଳେ ତାହାକୁ ଖୁବଶୀଘ୍ର ସମସ୍ତ କର୍ପୋରେଟଙ୍କ ନିକଟରେ ସାର୍ବଜନୀନ କରିବା ପାଇଁ କମିଟି ଅଧକ୍ଷ ତଥା କର୍ପୋରେଟର ଟି ତିରୁପତି ପାତ୍ର କହିଥିଲେ। ଅନ୍ୟପଟେ କର୍ପୋରେଟରମାନେ ନିର୍ବାଚିତ ହୋଇ ଏକ ବର୍ଷ ହେଲା ଆସିଲେଣି କିନ୍ତୁ ନିଗମର କୌଣସି ବି ଅଧିକାରୀ ସେମାନଙ୍କ ଅଧିକାରକୁ ସାବ୍ୟସ୍ଥ କରିବାର ସୁଯୋଗ ଦେଉ ନଥିବା ବେଳେ ସବୁଠି ଅଫିସର ରାଜ ଚାଲିଛି ଏବଂ ବର୍ତ୍ତମାନେ ନିର୍ବାଚିତ ପ୍ରତିନିଧିମାନେ ନିଜ ଭୂମିକାକୁ ନେଇ ସନ୍ଦେହରେ ରହିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହିତ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟ ଏବଂ ଜନହିତକର କାର୍ଯ୍ୟରେ କର୍ପୋରେଟର ମାନଙ୍କୁ ସାମିଲ କରିବା ପାଇଁ ବିଜେପି କର୍ପୋରେଟର ପ୍ରଦିପ ଶତପଥି ଗୃହରେ ମତ ରଖିଥିଲେ। ଅନ୍ୟପଟେ ଖଲ୍ଲିକୋଟ କଲେଜ ନିକଟରେ ଥିବା ମହାନଗର ନିଗମର ଗେଷ୍ଟ ହାଉସ ଏବଂ କଲ୍ୟାଣ ମଣ୍ଡପକୁ ଲିଜ ଆକାରରେ ଏକ ଘରୋଇ ସଂସ୍ଥାକୁ ଦିଆ ଯାଇଥିବା ବେଳେ ସେଠାରେ ସେ ତାର ମନମୁଖି କରୁଛି। ଏହାକୁ ନେବା ସମୟରେ ହୋଇଥିବା ଚୁକ୍ତିନାମାକୁ ପାଳନ ନ କରି ସଂସ୍ଥାଟି ତାହାର ଖିଲାପ କରୁଥିବା ବେଳେ ସେ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୃହକୁ ସ୍ଥାନୀୟ କର୍ପୋରେଟର ନିବେଦନ କରିଥିଲେ। ସେହିପରି ସହରରେ ହିତାଧିକାରୀଙ୍କୁ ହରିଶଚନ୍ଦ୍ର ଯୋଜନା ହେଉ କିମ୍ବା ସାମାଜିକ ସୁରକ୍ଷା ଭର୍ତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖା ଦେଉଥିବା ସମସ୍ତ କର୍ପୋରେଟର ଅଭିଯୋଗ କରିଥିବା ବେଳେ ଏହାକୁ ଖିୁବଶୀଘ୍ର ସମାଧାନ କରାଯିବ ବୋଲି ମେୟର ପ୍ରତିଶୂତି ଦେଇଥିଲେ। ସେହିପରି ଆଜି ଗୃହରେ କେବଳ କର୍ପୋରେଟରମାନଙ୍କ ପ୍ରଶ୍ନ ବାଣ ଦେଖିବାକୁ ମିଳିଥିବା ବେଳେ ଗୃହରେ ଉଠିଥିବା ସମସ୍ତ ସମସ୍ୟାରେ କିପରି ଆଶୁ ସମାଧାନ ହୋଇପାରିବ ସେ ନେଇ ଖୁବଶୀଘ୍ର ପଦକ୍ଷେପମାନ ଗ୍ରହଣ କରାଯିବା ପାଇଁ ଉଭୟ ମେୟର ଓ ନିଗମ ଆୟୁକ୍ତ ଗୃହର ସଦସ୍ୟମାନଙ୍କୁ ଆଶ୍ୱସନା ପ୍ରଦାନ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ଏହି ପରିଷଦ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମାୟର ଇ ବିବେକ ରେଡ୍ଡୀ, କମିଶନର ଜେ ସୋନଲ, ଅତିରିକ୍ତ କମିଶନର ସମ୍ବିତ ରାଉତ, ଡେପୁଟି କମିଶନର ବିନୋଦ ବେହେରା, ଆର୍ଶିବାଦ ପରିଡା ପ୍ରମୁଖ ମଞ୍ଚାଶୀନ ରହିଥିଲେ। ସେହିପରି ସମସ୍ତ କର୍ପୋରେଟଙ୍କ ସମେତ ନିଗମର ବିଭିନ୍ନ ବିଭାଗର ବରିଷ୍ଟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଆଜିର ଏହି ବୈଠକରେ ଉପସ୍ଥିତ ରହିଥିଲେ।