ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇ ଏଜେଣ୍ଟଙ୍କୁ ଓଟିପି ବିକ୍ରି କରି ସେୟାର କରିବା ଅଭିଯୋଗରେ ଏସଟିଏଫ ୩ ଗିରଫ

ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଜଣେ ଆଇଟିଆଇ ଶିକ୍ଷକ

ପାକିସ୍ତାନୀଙ୍କଠାରୁ ପାଉଥିଲେ ବିପୁଳ ପରିମାଣର ଅର୍ଥ

ଭୁବନେଶ୍ବର : ପାକିସ୍ତାନୀ ଗୁଇନ୍ଦା ବିଭାଗ ସହ ହାତ ମିଳାଇଥିବା କେତେକ ଅଭିଯୁକ୍ତ ଧରା ପଡିଛନ୍ତି। ଅଭିଯୁକ୍ତମାନେ ବିପୁଳ ସଂଖ୍ୟକ ସିମ୍ କାର୍ଡ ଜାଲିଆତି କରି ପାକିସ୍ତାନ ତଥା ଭାରତରେ ଥିବା କିଛି ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍ (ପିଆଇଓ)/ ଆଇଏସ୍ଆଇ ଏଜେଣ୍ଟଙ୍କ ସମେତ ବିଭିନ୍ନ ଗ୍ରାହକଙ୍କୁ ଓଟିପି (ସିମ୍ ବ୍ୟବହାର କରି ଲିଙ୍କ୍/ଜେନେରେଟେଡ୍) ବିକ୍ରି କରୁଥିଲେ। କିଛି ଅପରାଧୀ ଓ ଦେଶ ବିରୋଧୀଙ୍କ ସହ ଓଟିପି ବିକ୍ରି ଓ ସେୟାର କରିବା ଅଭିଯୋଗରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଇଟିଆଇ ଶିକ୍ଷକ ବୋଲି ସୂଚନା ମିଳିଛି।

ଏସଟିଏଫର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ଅନ୍ୟମାନଙ୍କ ନାମରେ ବିପୁଳ ସଂଖ୍ୟକ ସିମ୍ କାର୍ଡ ଜାଲିଆତି କରି ସେମାନଙ୍କୁ ବ୍ୟବହାର କରୁଥିଲେ ଏବଂ ଏହାକୁ ପାକିସ୍ତାନ ତଥା ଭାରତରେ ଥିବା କିଛି ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍ (ପିଆଇଓ)/ ଆଇଏସ୍ ଆଇ ଏଜେଣ୍ଟଙ୍କ ସମେତ ବିଭିନ୍ନ ଗ୍ରାହକଙ୍କୁ ଓଟିପି (ସିମ୍ ବ୍ୟବହାର କରି ଲିଙ୍କ୍/ଜେନେରେଟେଡ୍) ବିକ୍ରି କରୁଥିଲେ। ଏହା ବଦଳରେ ଭାରତରେ ଥିବା କିଛି ପାକିସ୍ତାନୀ ଏଜେଣ୍ଟ ସେମାନଙ୍କୁ ଟଙ୍କା ଦେଇଥିଲେ। ଏହାବ୍ୟତୀତ ସେମାନେ ରାଜସ୍ଥାନରେ ଗତବର୍ଷ ଅଫିସିଆଲ ସିକ୍ରେଟ୍ ଆକ୍ଟ/ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଜଣେ ମହିଳା ପିଆଇଓ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏସ୍ଟିଏଫ୍ ଅଧିକାରୀମାନେ କହିଛନ୍ତି। ହ୍ୱାଟ୍ସଆପ୍, ଟେଲିଗ୍ରାମ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଏବଂ ଆମାଜନ, ଫ୍ଲିପକାର୍ଟ ଭଳି ଅନଲାଇନ ସପିଂ ସାଇଟରେ ମଧ୍ୟ ଏହି ଓଟିପି ବ୍ୟବହାର କରାଯାଇଥିଲା । ଇମେଲ ଆକାଉଣ୍ଟ ଖୋଲିବାରେ ମଧ୍ୟ ଏହା ବ୍ୟବହୃତ ହୁଏ । ଅଧିକାଂଶ ଭାବୁଥିଲେ ଯେ ଏହି ଆକାଉଣ୍ଟଗୁଡିକ ଜଣେ ଭାରତୀୟଙ୍କ ମାଲିକାନାରେ ଅଛି କିନ୍ତୁ ପ୍ରକୃତରେ ପାକିସ୍ତାନରୁ ପରିଚାଳିତ ହେଉଛି ।