ଓଡ଼ିଶାର ଉଟ୍ଟି ଭ୍ରମସୃଷ୍ଟି କରୁଥିବା ପ୍ରାକୃତିକ ଶୋଭାରାଜି ରଣପୁର ଉପର ମଣିନାଗ ପୀଠ
*ରୋପ୍ ୱେ ନିର୍ମାଣ କରିବାପାଇଁ ଦାବି ଜୋରଦାର୍*
ସୁଉଚ୍ଚ ପାହାଡ଼ ଶିଖରରେ ଉପର ମଣିନାଗ ପୀଠସ୍ଥଳୀ ଅବସ୍ଥିତ
ରଣପୁର (ଦର୍ଶନ ନ୍ୟୁଜ୍): ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଏବେ ଦାବି ଜୋର୍ ଧରିଛି। ପ୍ରକାଶ ଥାଉକି, ସୁଉଚ୍ଚ ପାହାଡ଼ ଶିଖରରେ ଉପର ମଣିନାଗ ପୀଠସ୍ଥଳୀ ଅବସ୍ଥିତ। କିମ୍ବଦନ୍ତୀ ଅନୁଯାୟୀ ଏହି ସ୍ଥାନରେ ଶବର ରାଜା ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ମା’ ମଣିନାଗଙ୍କ ଆରାଧନା କରୁଥିଲେ। ପରବର୍ତ୍ତୀ ସମୟରେ ରଣପୁରର ତତ୍କାଳୀନ ରାଜା ସାହେବ ପାହାଡ଼ ଶିଖରକୁ ଯାଇ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସବୁଦିନ ପାହାଡ଼ ଉପରକୁ ଚଢି ଚାଲିଚାଲି ଯାଇ ପୂଜାର୍ଚ୍ଚନା କରିବା କଷ୍ଟସାଧ୍ୟ ହେଉଥିବାରୁ ଏକଦା ମା’ଙ୍କ ସ୍ୱପ୍ନାଦେଶ କ୍ରମେ ପାହାଡ଼ ପାଦଦେଶରେ ଅନ୍ୟ ଏକ ବିଗ୍ରହ ପ୍ରତିଷ୍ଠା କରାଯାଇ ମା’ ମଣିନାଗଙ୍କ ପୂଜାର୍ଚ୍ଚନା କରାଗଲା। ସେହିଦିନଠାରୁ ପାହାଡ଼ ପାଦଦେଶରେ ପୂଜା ପାଉଥିବା ମାଆଙ୍କ ପୀଠକୁ ତଳ ମଣିନାଗ ପୀଠ ଏବଂ ପାହାଡ଼ ଶିଖର ଭାଗରେ ଅବସ୍ଥିତ ପୀଠକୁ ଉପର ମଣିନାଗ ପୀଠ ଭାବେ ନାମିତ କରାଯାଇଛି।
ପୀଠର ଉନ୍ନତିକରଣ ପାଇଁ ସାତ ବର୍ଷ ପୂର୍ବେ ରଣପୁରର ତତ୍କାଳୀନ ବିଧାୟକ ତଥା ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ରଙ୍କ ସାଂସଦ ପାଣ୍ଠିରୁ ସେହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ପିଚୁରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ସେହି ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡିଛି। ଘାଟି ରାସ୍ତା ସହ ରାସ୍ତାରୁ ପିଚୁ,ମେଟାଲ୍ ଉଠି ଖାଲଖମା ସୃଷ୍ଟି ହୋଇଥିବାରୁ ଯାତ୍ରୀମାନଙ୍କ ଯାତାୟତରେ ଅନେକ ବାଧା ଉପୁଜୁଛି, ଏପରିକି ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ଅନେକ ନଜିର ରହିଛି। ଏହି ପୀଠକୁ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବିବାହ,ବ୍ରତ,ହୋମ-ଯଜ୍ଞ, ପରିଭ୍ରମଣ କରିବାକୁ ଆସିଥା’ନ୍ତି। ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ଶୋଭାରାଜି ଦୃଶ୍ୟ ମଧ୍ୟରେ ଅବସ୍ଥିତ ଉପର ମଣିନାଗ ପୀଠକୁ ଯାତ୍ରୀମାନେ ମନଭରି ଉପଭୋଗ କରିଥା’ନ୍ତି। ରଣପୁର ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୋଣରୁ ତଥା ଏଠାକୁ ଛୁଟି ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜନସାଧାରଣ ପାହାଡ଼ ଶିଖରରେ ପୂଜା ପାଉଥିବା ଉପର ମଣିନାଗ ପୀଠ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ନିକଟରେ ଦାବି ଉପସ୍ଥାପନ କରିବା ପରେ ଏହାର ନିର୍ମାଣକାର୍ଯ୍ୟ ଶେଷହେବା ସହ ଉପର ରାସ୍ତାର ଅର୍ଦ୍ଧାଧିକ ରାସ୍ତା ବିଦ୍ୟୁତକରଣ ହୋଇଛି। ଅପରପକ୍ଷେ ରଣପୁରବାସୀଙ୍କ ପକ୍ଷରୁ ରୋପ୍ ୱେ ନିର୍ମାଣ କରିବାପାଇଁ ବାରମ୍ବାର ଦାବି ହୋଇଆସୁଥିବା ବେଳେ ଏହି ଦାବିକୁ ଏବେ ବ୍ୟାପକ ଏବଂ ଜୋରଦାର୍ କରାଯିବ ବୋଲି ରଣପୁର ଜନସାଧାରଣ ସୂଚନା ଦେଇଛନ୍ତି।