କଟକ ହୋଲସେଲ ବ୍ୟବସାୟୀ ହତ୍ୟା ମାମଲାରେ ଡି-ବ୍ରଦର୍ସ ନିର୍ଦ୍ଦୋଷ

ଅନ୍ୟ ଅଭିଯୁକ୍ତ ମଧ୍ୟ ନିର୍ଦ୍ଦୋଷରେ ଖଲାସ

୨୦୧୪ରେ ହୋଇଥିଲା ଫାରୁକଙ୍କ ହତ୍ୟା

ସିଡିଏ : ଜଣେ ହୋଲସେଲ ବ୍ୟବସାୟୀ ହତ୍ୟା ମାମଲାରେ ଧଳସାମନ୍ତ ଭାଇ ଓ ତାଙ୍କ ସହଯୋଗୀ ଆରିଫ ଖାନଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ କଟକ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଓ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। କଟକ ମାଲଗୋଦାମର ହୋଲସେଲ ଡାଲି ବ୍ୟବସାୟୀ ଶେଖ୍ ଫାରୁକଙ୍କ ହତ୍ୟା ମାମଲାରେ ପୁଲିସ ‘ଡି-ବ୍ରଦର୍ସ’ ଓ ଅନ୍ୟ ଅଭିଯୁକ୍ତ ଶାର୍ପସୁଟର ଆରିଫ୍ ଖାନଙ୍କୁ ଗିରଫ କରିଥିଲା। ପୂର୍ବରୁ ଏହି ସମ୍ବେଦନଶୀଳ ହତ୍ୟା ମାମଲାରେ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫାରୁକ୍ ୩୦ ଲକ୍ଷ ଟଙ୍କା ଦେବାକୁ ମନା କରି ଦେଇଥିବାରୁ ୨୦୧୪ ନଭେମ୍ବର ୧୨ ତାରିଖରେ ଫାରୁକଙ୍କୁ ତାଙ୍କ ଦୋକାନରେ ଗୁଳି କରି ହତ୍ୟା କରାଯାଇଥିଲା। ଫାରୁକଙ୍କୁ ହତ୍ୟା କରିବା ପାଇଁ ଡି-ବ୍ରଦର୍ସ ଷଡ଼ଯନ୍ତ୍ର କରିଥିଲେ ଏବଂ ଠିକା ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।