କ୍ୱାଡ୍ ବୈଠକ ବାତିଲ, ଅଷ୍ଟ୍ରେଲିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ସପ୍ତାହରେ ସିଡନୀରେ କ୍ୱାଡ୍ ନେତାଙ୍କ ବୈଠକ ଅନୁଷ୍ଠିତ ହେବ ନାହିଁ

ହିରୋସିମାରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ କ୍ୱାଡ୍ ନେତା ଅଷ୍ଟ୍ରେଲିଆ, ଆମେରିକା, ଭାରତ ଓ ଜାପାନ ମୁହାଁମୁହିଁ ହେବେ

ନୂଆଦିଲ୍ଲୀ : ୱାଶିଂଟନରେ ଗୁରୁତ୍ୱପୂର୍ଣ୍ଣ ଋଣ ସୀମା ଆଲୋଚନା ଯୋଗୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଘୋଷଣା କରିଛନ୍ତି ଯେ କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ ସିଡନୀରେ ଅନୁଷ୍ଠିତ ହେବ ନାହିଁ। ତେବେ ଜି-୭ ଶିଖର ସମ୍ମିଳନୀ ଅବସରରେ ହିରୋସିମାରେ କ୍ୱାଡ୍ ନେତାଙ୍କ ବୈଠକ ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲବାନାନ, ଶୀର୍ଷ ବ୍ୟବସାୟିକ ସିଇଓ ଏବଂ ସିଡନୀରେ ପ୍ରବାସୀ ଭାରତୀୟଙ୍କ ସହ ବୈଠକ ସମେତ ଦ୍ୱିପାକ୍ଷିକ ଆଲୋଚନା ଜାରି ରଖିଛନ୍ତି।
ଏହାପରେ ନ୍ୟୁ ସାଉଥ ୱେଲ୍ସର ଏକ ସହର ଟ୍ୱିଡ୍ ହେଡ୍ସରେ ଆଲବାନିସ୍ କହିଛନ୍ତି, “ଆସନ୍ତା ସପ୍ତାହରେ ସିଡନୀରେ କ୍ୱାଡ୍ ନେତାଙ୍କ ବୈଠକ ଅନୁଷ୍ଠିତ ହେବ ନାହିଁ। ଚଳିତ ସପ୍ତାହରେ ହିରୋସିମାରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ, ଆମେରିକା, ଭାରତ ଓ ଜାପାନର କ୍ୱାଡ୍ ନେତା ମୁହାଁମୁହିଁ ହେବେ । ବ୍ରିସବେନରେ ଏବିସି ରେଡିଓକୁ ଆଲବାନିସ୍ କହିଛନ୍ତି, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ମୋ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ଏଠାକୁ ଆସିବେ। ସିଡନୀର ଅଲିମ୍ପିକ୍ ପାର୍କରେ ହୋମବୁଶଠାରେ ମୋଦି ଏକ ଅତି ସାର୍ବଜନୀନ କାର୍ୟ୍ୟକ୍ରମ ଆୟୋଜନ କରିବେ । ସେ ଅଷ୍ଟ୍ରେଲିଆ-ଭାରତ ବ୍ୟବସାୟିକ ସମ୍ପର୍କ ସହ ମଧ୍ୟ ଆଲୋଚନା କରିବେ। ମୁଁ ତାଙ୍କୁ ସିଡନୀରେ ସ୍ୱାଗତ କରିବାକୁ ଅପେକ୍ଷା କରିଛି।” ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାରଠାରୁ ମୋଦିଙ୍କ ତିନି ଦେଶ ଗସ୍ତ ଘୋଷଣା କରିଥିଲା, ଯେଉଁଥିରେ ମେ ୨୨ରୁ ୨୪ ପର୍ୟ୍ୟନ୍ତ ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସାମିଲ ଥିଲା।