ପୁରୀରେ ହେଉ ଅନ୍ତର୍ଜାତୀୟ ସମୁଦ୍ରକୂଳ ବିମାନବନ୍ଦର : ମୁଖ୍ୟମନ୍ତ୍ରୀ

ପୁରୀରେ ଅନ୍ତର୍ଜାତୀୟ ସମୁଦ୍ର କୂଳ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୋଦିଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ 

ରାଜ୍ୟ ସରକାର ପୁରୀକୁ ଏକ ଅନ୍ତର୍ଜାତୀୟ ଐତିହ୍ୟ କେନ୍ଦ୍ର ଭାବେ ବିକଶିତ କରୁଛନ୍ତି ବୋଲି କହିଲେ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱସ୍ତରୀୟ ସମୁଦ୍ର କୂଳ ବିମାନବନ୍ଦର ଭାବେ ମାନ୍ୟତା ଦେବା ସମେତ ଓଡ଼ିଶାରେ ଅନେକ ନୂଆ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଲୋଡ଼ିଛନ୍ତି।
ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ, ପୁରୀ-ରାଉରକେଲା ମଧ୍ୟରେ ସମ୍ବଲପୁରକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ସଂଯୋଗ କରୁଥିବା ଅନ୍ୟ ଏକ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସହର ମଧ୍ୟରେ ଦ୍ରୁତ ଗତିରେ ଯାତ୍ରୀପରିବହନକୁ ସହଜ କରିବ।
ରାଜ୍ୟ ସରକାର ପୁରୀକୁ ଏକ ଅନ୍ତର୍ଜାତୀୟ ଐତିହ୍ୟ କେନ୍ଦ୍ର ଭାବେ ବିକଶିତ କରୁଛନ୍ତି ବୋଲି କହି ନବୀନ କହିଛନ୍ତି ଯେ ପୁରୀ ଭାରତର ପ୍ରଥମ ସହର ଯେଉଁଠାରେ ଶତ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ରହିଛି।

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିକଟରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବିସ୍ତୃତ ଆଲୋଚନା କରିଥିଲି। ଏହାକୁ ଏକ ବିଶ୍ୱସ୍ତରୀୟ ସମୁଦ୍ର କୂଳ ବିମାନବନ୍ଦରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପରାମର୍ଶକୁ ଆମେ ଅନ୍ତର୍ଭୁକ୍ତ କରିବୁ । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଓ ସମର୍ଥନରେ ୩ରୁ ୪ ବର୍ଷ ମଧ୍ୟରେ ଏହି ବିମାନବନ୍ଦର ପ୍ରସ୍ତୁତ ହୋଇଯିବ ଏବଂ ଶ୍ରୀଜଗନ୍ନାଥ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲୋକାର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀକ୍ଷେତ୍ର ଆସିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ପୁରୀ-କୋଣାର୍କ ନୂଆ ରେଳ ଲାଇନକୁ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯାହା ରାଜ୍ୟର ଦୁଇଟି ପ୍ରସିଦ୍ଧ ରେଳପଥକୁ ସଂଯୋଗ କରିବ । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ନିର୍ମାଣ ଖର୍ଚ୍ଚ ଏବଂ ସମ୍ପୂର୍ଣ୍ଣ ଜମି ମୂଲ୍ୟର ୫୦ ପ୍ରତିଶତ ପ୍ରଦାନ କରୁଥିବାରୁ ଏହା ରେଳବାଇ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, “ରାଜ୍ୟରେ ରେଳ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବା ଦିଗରେ ଓଡ଼ିଶା ସର୍ବଦା ସକ୍ରିୟ ରହିଛି। ରେଳ ପ୍ରକଳ୍ପ ସେମାନଙ୍କୁ ଅନେକ ନୂଆ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବ ବୋଲି ଆଶା ରଖି ରାଜ୍ୟବାସୀ ସ୍ବେଚ୍ଛାକୃତ ଭାବେ ରେଳବିକାଶ ପାଇଁ ନିଜର ଅମୂଲ୍ୟ ଜମି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।” ଅନୁଗୁଳ-ସୁକିନ୍ଦା ଲାଇନ୍ ଓ ହରିଦାସପୁର-ପାରାଦୀପ ଲାଇନରେ ଯାତ୍ରୀ ସେବା ଶୀଘ୍ର ଆରମ୍ଭ କରି ଜିଲ୍ଲାବାସୀଙ୍କ ଆକାଂକ୍ଷା ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ଖୁବ୍ ଶୀଘ୍ର ନିଜସ୍ୱ ବୁଲେଟ୍ ଟ୍ରେନ୍ ହେବାର ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।