ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ଭାବେ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ।

୮ ହଜାର କୋଟିର ରେଳ ପ୍ରକଳ୍ପର କଲେ ଶିଳାନ୍ୟାସ

ଭୁବନେଶ୍ବର: ଆଜି ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ଓଡ଼ିଶାରେ ୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପୁରୀ, କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶାରେ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣ କରାଯାଇଛି।

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବନ୍ଦେ ଭାରତ ବିକଶିତ ଭାରତ ଏବଂ ଆଶାୟୀ ଭାରତୀୟଙ୍କ ପ୍ରତୀକ। ବନ୍ଦେ ଭାରତ ଯେତେବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ, ଏହା ଭାରତର ଗତି ଓ ବିକାଶକୁ ପ୍ରତିଫଳିତ କରିଥାଏ। ବନ୍ଦେ ଭାରତ ଏକ୍ସପ୍ରେସ୍ ହାଓଡ଼ା ଓ ପୁରୀ ମଧ୍ୟରେ ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଆଜି ଦେଶରେ ୧୫ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହା ଉଭୟ ଯୋଗାଯୋଗ ଏବଂ ଦେଶର ଅର୍ଥନୀତିକୁ ପ୍ରୋତ୍ସାହିତ କରୁଛି।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୮୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା ସହ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ର ଶୁଭାରମ୍ଭ ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ନେତା ସମ୍ବିତ ପାତ୍ରଙ୍କ ସହ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ସେହିପରି ମଧ୍ୟରାତ୍ରିରେ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ନିର୍ମାଣ ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଗତି କରିବ। ଏହି ଟ୍ରେନ୍ ରେଳ ଉପଭୋକ୍ତାଙ୍କୁ ଦ୍ରୁତ, ଅଧିକ ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ଅନୁଭୂତି ପ୍ରଦାନ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।