ରାତି ପାହିଲେ ବାହୁଡା ଯାତ୍ରା, ଆଡପ ମଣ୍ଡପରେ ଶେଷ ହେଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା

ପୁରୀ: ରାତି ପାହିଲେ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ। ଆଜି ଆଡପ ମଣ୍ଡପରେ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ସଂଧ୍ୟାଦର୍ଶନ ଯୋଗୁଁ ଆଜି ଗୁଣ୍ଡିଚା ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ନିଷ୍ପତି ପ୍ରଶାସନ ନେଇଥିବାବେଳେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବଢାଯାଇଥିଲା।

ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରୁ ଲମ୍ବା ବ୍ୟାରିକେଡ଼ ହୋଇଥିଲା। ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଆଜି ରାତିରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତିକାନ୍ତି ହେବ। ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ଵାର ଫିଟାଯାଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଜିକ୍ ଜ୍ଯାକ ବ୍ୟାରିକେଡ଼ ଦେଇ ଭକ୍ତ ଶ୍ରଦ୍ଧାଳୁ ବ୍ୟାରିକେଡ଼ରେ ଦୀର୍ଘ ସମୟ ଅପେକ୍ଷା କରି ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ।

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଆଜି ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା। ଖରା ଓ ଗୁଳୁଗୁଳି ସତ୍ତ୍ଵେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଆଜି ନବମୀ ସନ୍ଧ୍ୟା ଦର୍ଶନରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ସହ ସେଡ୍ ର ବ୍ୟବସ୍ଥା ହୋଇଥିଲା। ସେହିପରି ଜାଗେଶ୍ବରୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା।