ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେ ଅଧିକାଂଶ ନାବାଳକ
ସର୍ବେକ୍ଷଣରୁ ଜଣାପଡିଛି ଯେ ୩୮ ପ୍ରତିଶତ ସିଗାରେଟ୍, ୪୭ ପ୍ରତିଶତ ବିଡ଼ି ଏବଂ ୫୨ ପ୍ରତିଶତ ଧୂଆଁବିହୀନ ତମାଖୁ ବ୍ୟବହାରକାରୀ ସେମାନଙ୍କ ୧୦ମ ଜନ୍ମଦିନ ପୂର୍ବରୁ ଏହି ଅଭ୍ୟାସକୁ ଆପଣାଇଛନ୍ତି
ତମାଖୁ ବ୍ୟବହାରକାରୀ ଏହି ଅଭ୍ୟାସକୁ ୧୦ ବର୍ଷ ପୂର୍ବରୁ ହିଁ ଆପଣାଉଛନ୍ତି
ଭୁବନେଶ୍ୱର: ତମାଖୁ ସେବାନ କରୁଥିବା ଅଧିକାଂଶଙ୍କ ମଧ୍ୟରେ ହେଉଛନ୍ତି ନାବାଳକ। ଗ୍ଲୋବାଲ ୟୁଥ୍ ଟୋବାକୋ ସର୍ଭେ (ଜିୱାଇଟିଏସ୍) ଅନୁଯାୟୀ, ଭାରତରେ ୧୩ରୁ ୧୫ ବର୍ଷ ବୟସର ପ୍ରାୟ ଏକ ପଞ୍ଚମାଂଶ ପିଲା ତମାଖୁ ଉତ୍ପାଦ ବ୍ୟବହାର କରୁଛନ୍ତି। ୩୮ ପ୍ରତିଶତ ସିଗାରେଟ୍, ୪୭ ପ୍ରତିଶତ ବିଡ଼ି ଏବଂ ୫୨ ପ୍ରତିଶତ ଧୂଆଁବିହୀନ ତମାଖୁ ବ୍ୟବହାରକାରୀ ଏହି ଅଭ୍ୟାସକୁ ୧୦ ବର୍ଷ ପୂର୍ବରୁ ହିଁ ଆପଣାଉଛନ୍ତି। ଭାରତୀୟ ସ୍ୱେଚ୍ଛାସେବୀ ସ୍ୱାସ୍ଥ୍ୟ ସଂଘର ମୁଖ୍ୟ କାର୍ୟ୍ୟନିର୍ବାହୀ ଭାବନା ବି ମୁଖାପାଧ୍ୟାୟ କହିଛନ୍ତି, “ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ ୨୦୧୬-୨୦୧୭ ଅନୁଯାୟୀ, ଆମ ଦେଶରେ ପ୍ରାୟ ୨୭ କୋଟି ଲୋକ ତମାଖୁ ସେବନ କରନ୍ତି ଏବଂ ତମାଖୁ ଜନିତ ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଭାରତରେ ତମାଖୁ ସେବନ ଆରମ୍ଭ କରିବାର ହାରାହାରି ବୟସ ୧୮.୭ ବର୍ଷ ଅଟେ । ମହିଳାଙ୍କ ତୁଳନାରେ ପୁରୁଷମାନେ କମ୍ ବୟସରେ ତମାଖୁ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି । ତମାଖୁ ୨୫ ପ୍ରକାର ରୋଗ ଏବଂ ପ୍ରାୟ ୪୦ ପ୍ରକାର କର୍କଟ ସୃଷ୍ଟି କରିପାରେ, ଯେଉଁଥିରେ ମୁଖ୍ୟତଃ ମୁଖ କର୍କଟ, ଗଳା କର୍କଟ, ଫୁସଫୁସ କର୍କଟ, ପ୍ରୋଷ୍ଟେଟ କର୍କଟ, ପେଟ କର୍କଟ ଏବଂ ବ୍ରେନ୍ ଟ୍ୟୁମର ରହିଛି ।
କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭର୍ସିଟିର ରେସ୍ପିରେଟୋରି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ସୂର୍ୟ୍ୟକାନ୍ତ କହିଛନ୍ତି, ତମାଖୁ ଧୂଆଁ କ୍ଷତିକାରକ ଗ୍ୟାସ୍ ଓ ରାସାୟନିକ ପଦାର୍ଥ ନିର୍ଗତ କରିଥାଏ, ଯେଉଁଥିରେ ନିକୋଟିନ୍ ଓ ଟାର୍ ମୁଖ୍ୟ। ସମୁଦାୟ ୭୦ଟି ରାସାୟନିକ ପଦାର୍ଥ କାର୍ସିନୋଜେନିକ୍ ବୋଲି ଜଣାପଡ଼ିଥିଲେ ମଧ୍ୟ ତମାଖୁ ସେବନ କରୁଥିବା ବ୍ୟକ୍ତିମାନେ ଏହି ତଥ୍ୟକୁ ଅଣଦେଖା କରିଥାନ୍ତି।
ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ ଡକ୍ଟରସର ମହାସଚିବ ଡାକ୍ତର ଅଭିଷେକ ଶୁକ୍ଳା କହିଛନ୍ତି, ସିଗାରେଟ୍ ଅପେକ୍ଷା ବିଡି ପିଇବା ଅଧିକ କ୍ଷତିକାରକ। ବିଡ଼ିରେ ନିକୋଟିନର ମାତ୍ରା କମ୍ ଥିବାରୁ ନିକୋଟିନ୍ ନିଶାଗ୍ରସ୍ତଙ୍କୁ ବାରମ୍ବାର ଏହାର ଆବଶ୍ୟକତା ପଡ଼ିଥାଏ। ଆମ ଦେଶରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଧୂମପାନ ପ୍ରତି ନିଶା ଅଧିକ।
ଏସସି ତ୍ରିବେଦୀ ମେମୋରିଆଲ ଟ୍ରଷ୍ଟ ହସ୍ପିଟାଲର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅମିତା ଶୁକ୍ଳା କହିଛନ୍ତି, ଗର୍ଭାବସ୍ଥାରେ ଗର୍ଭବତୀ ମହିଳା ତମାଖୁ ସେବନ କଲେ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱର ଏକ କାରଣ ହେଉଛି ଧୂମପାନ ଯାହା ପ୍ରାକ୍ ପରିପକ୍ବ ପ୍ରସବର କାରଣ ମଧ୍ୟ ହୋଇପାରେ ।