ମୟୂରଭଞ୍ଜରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୨ ଜଣଙ୍କୁ ୨୦ ବର୍ଷ ଜେଲ୍

ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ଉଭୟ ଦୋଷୀଙ୍କୁ ୧୫ ହଜାର ଟଙ୍କା ଜରିମାନା କରାଯାଇଛି

ବାରିପଦା: ୨୦୧୬ମସିହାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣଙ୍କୁ ମଙ୍ଗଳବାର ସ୍ଥାନୀୟ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୟୂରଭଞ୍ଜ ସ୍ବତନ୍ତ୍ର ପୋକ୍ସୋ କୋର୍ଟବିଚାରପତି ସୁମିତା ଜେନା ଉଭୟ ଦୋଷୀଙ୍କୁ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି ବୋଲି ସ୍ବତନ୍ତ୍ର ସରକାରୀ ଓକିଲ ଅବିନା କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିସହ ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୬ ଫେବ୍ରୁଆରି ୫ ତାରିଖରେ ବାଧୁଣିଆ ଗାଁରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିଲା। ଉଭୟ ବ୍ୟକ୍ତି ତାଙ୍କୁ ନିକଟସ୍ଥ ଏକ ବୁଦାକୁ ନେଇ ଏହି କାଣ୍ଡ ଘଟାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ବିଶୋଇ ଥାନାରେ ଅଭିଯୋଗ କରିବା ପରେ ଉଭୟଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଓ ଆଇପିସିର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିଲା। ନାବାଳିକାଙ୍କ ବୟାନ, ଅନ୍ୟ ସାକ୍ଷୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟକୁ ଆଧାର କରି ଏହି ରାୟ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।