ବିଶାଖାପାଟଣାରେ ‘ରୋଗୀ ସହାୟତା କେନ୍ଦ୍ର’ ଅବଧି ବଢାଇଲେ ଓଡିଶା ସରକାର

ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖୋଲାଯାଇଥିବା 'ରୋଗୀ ସହାୟତା କେନ୍ଦ୍ର'ର ଅବଧିକୁ ଆଉ ଏକ ବର୍ଷ (୨୦୨୩-୨୪) ବୃଦ୍ଧି କରିବା ସହ କେନ୍ଦ୍ର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଭାଇଜାଗରେ ପିଏଫସିର ଅବଧି ବଢ଼ାଇଲା ଓଡ଼ିଶା; ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ର ଅବଧିକୁ ଆଉ ଏକ ବର୍ଷ ୨୦୨୩-୨୪ ବୃଦ୍ଧି କରିଛନ୍ତି। ଏହା ସହ ଏହି ‘ରୋଗୀ ସହାୟତା କେନ୍ଦ୍ର’ର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ମାଲକାନଗିରିରୁ ବିଶାଖାପାଟଣା ଯାଉଥିବା ଗରିବ ଓ ଆଦିବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ଆଗକୁ ଜାରି ରହିବ ବୋଲି କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୬ ମସିହାରେ ବିଶାଖାପାଟଣାରେ ରୋଗୀ ସହାୟତା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ବିଶାଖାପାଟଣା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଏବଂ ଏଠାରେ ଗୁଣାତ୍ମକ ଚିକିତ୍ସା ସୁବିଧା ଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ସେଠାକୁ ଚିକିତ୍ସା ପାଇଁ ଯାଆନ୍ତି। ମାଲକାନଗିରିର ରୋଗୀମାନଙ୍କୁ ରୋଗୀ ସହାୟତା କେନ୍ଦ୍ରରେ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ୨୦୧୬ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ଚିକିତ୍ସା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ। ୨୦୧୬ରେ ୨୫ ଲକ୍ଷ ଟଙ୍କା, ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।